କୋରାପୁଟ: ଜୀବନ ଧାରଣର ଧାରା ଖୋଜିବାକୁ ଯାଇ ପଛରେ ପଡିଛି ନିଜର ଭିଟାମାଟି । କୋରାପୁଟ ତେଲିଙ୍ଗିରି ଜଳସେଚନ ପ୍ରକଳ୍ପ ପାଇଁ ନିଜ ଗାଁ ଛାଡି ବିସ୍ଥାପିତ ହୋଇଛନ୍ତି ଗ୍ରାମବାସୀ । କୋରପୁଟଠାରୁ ରାଣିଗଡ ଦେଇ ବୋରିଗୁମ୍ମା ଯିବା ବାଟରେ ତେଲେଙ୍ଗିରି ନଦୀ ଉପରେ ୨୦୦୩ ମସିହାରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ନିଜ ଭିଟାମାଟି ଛିଡିଥିଲେ 1600 ବିସ୍ଥାପିତ ।
ଦୀର୍ଘ 16 ବର୍ଷ ଧରି କଚ୍ଛପ ଗତିରେ ଚାଲିଛି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ । 106 କୋଟିର ପ୍ରକଳ୍ପ ବର୍ତ୍ତମାନ ସମୟରେ ଏକ ହଜାର କୋଟିରେ ପହଞ୍ଚିଲାଣି । ଉପରମୁଣ୍ଡରେ ନଦୀ ଜଳକୁ ଅଟକାଇ ରଖି ଜୟପୁର, ବୋରିଗୁମ୍ମା ଓ କୋଟପାଡ ଅଞ୍ଚଳର ଚାଷୀଙ୍କୁ ପାଣି ଯୋଗାଇବା ପାଇଁ ରାଣିଗଡ ନିକଟସ୍ଥ 7ଟି ଗାଁର ଲୋକଙ୍କୁ ବିସ୍ଥାପନ କରାଗଲା । ହେଲେ ଦିନକୁ ଦିନ ବିସ୍ଥାପିତଙ୍କ ସମସ୍ୟା ସମାଧାନ ହେବା ବଦଳରେ ବଢିଚାଲିଛି । ପ୍ରକଳ୍ପ ସରିନଥିବାରୁ 1600 ବିସ୍ଥାପିତଙ୍କ ମଧ୍ୟରୁ ଏଯାଏଁ ଅନେକଙ୍କୁ ମିଳିନି ସେମାନଙ୍କ ହକ । ଭିଟାମାଟି ଛାଡିବା ବଦଳରେ ମିଳିଥିବା ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ । ଅର୍ଥଭାବରୁ ଶେଷରେ କାଠ କାଟି ପେଟ ପୋଷୁଛନ୍ତି ରାଣିଗଡ ନିକଟସ୍ଥ 7 ଗାଁର ବାସିନ୍ଦା ।
ତଥାପି କେବେଯେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ସେ ନେଇ ପ୍ରଶ୍ନ ବଢିଚାଲିଛି । ଏପଟେ ନା ସରୁଛି ପ୍ରକଳ୍ପ, ନା ମିଳୁଛି ଚାକିରୀ । ପ୍ରତିଶ୍ରୁତି ନାଁରେ ପ୍ରତାରିତ ହୋଇଚାଲିଛନ୍ତି ବିସ୍ଥାପିତ । ନିଜର କହିଲେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ନାହିଁ । ମିଳିଥିବା କ୍ଷତିପୂରଣରେ ଜମିଟିଏ ମଧ୍ୟ କିଣିବା ମୁସକିଲ । ଶେଷରେ ଅନ୍ୟ ରାସ୍ତା ନ ପାଇଁ ଗାଁ ଉପରମୁଣ୍ଡରେ ପ୍ରକୃତି କୋଳରେ ଆଶ୍ରୟ ନେଇଛନ୍ତି ଏମାନେ ।
ପାହାଡ଼ ପର୍ବତ ଉପରକୁ ଯାଇ ପୂର୍ବ ଅଭ୍ୟାସ ଅନୁଯାଇ କାଠ ସଂଗ୍ରହ କରିବା ଓ କାଠରୁ କୋଇଲା ପ୍ରସ୍ତୁତ କରିବାରେ ପୁଣି ଲାଗିଗଲେ । କିଛି ବ୍ୟକ୍ତି ନିଜ ହାତରେ ଘରଟିଏ ତିଆରି କଲେତ ଆଉକିଏ ଠିକାଦାର ହାତରେ ଅର୍ଥକୁ ଟେକି ଦେଇ ଠକି ଯାଇଥିବା ଗ୍ରାମବାସୀ ଜଣାଇଛନ୍ତି । ତା ସହିତ ସରକାରଙ୍କ ପକ୍ଷରେ ପ୍ରତି ପରିବାରରେ ୧୮ ବର୍ଷର ଯୁବକ ଯୁବତୀଙ୍କ ପାଇଁ ବିସ୍ଥାପିତର ସୁବିଧା ପହଞ୍ଚାଇବା ସମ୍ଭବ ହେଉନଥିବା ଯୋଗୁଁ ସେ ବୟସର ଯୁବପୀଢୀ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ସମୟ ଗଡାଇବା ଅପେକ୍ଷା ବିସ୍ଥାପିତଙ୍କ ବାସ୍ତବ ସମସ୍ୟା ପ୍ରତି ସରକାର କର୍ଣ୍ଣପାତ କରୁନାହାଁନ୍ତି । ଯେଉଁଠି ହକ ମିଳୁନି ସେଇଠି ପ୍ରକଳ୍ପର ସୁବିଧା ମିଳିବା କେତେ ଯୁକ୍ତିଯୁକ୍ତ ? ଯଦି ସମୟ ଗଡିବା ସହ ସରକାର ତତ୍ପରତା ନ ଦେଖାଇବେ, ଦାରିଦ୍ର୍ୟତାର ଦରିଆରେ ଦିନ କାଟୁଥିବା ବିସ୍ଥାପିତଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ