କୋରାପୁଟ: ନିଘଞ୍ଚ, ନିରୋଳା ଅରଣ୍ୟ ଆଉ ତା ଭିତରେ ସିଲଭ ଓକ ଟ୍ରିର ବିଶାଳ ଦ୍ରୁମ ଉପରେ ମାଡି ରହିଛି ଗୋଲମରିଚ ଲତା ସହ କଫି ଫୁଲର ମହକ । ଏମିତି ଏକ ସୁନ୍ଦର ପରିବେଶରେ ଆଖିରେ ଆଖିଏ ସ୍ବପ୍ନ ନେଇ ଜୀବନ ପଥରେ ଆଗେଇ ଚାଲିଛନ୍ତି କୋରାପୁଟ ଜିଲ୍ଲା କେଲାର ଗ୍ରାମର ମହିଳା ଉଦ୍ୟୋଗୀ ରାଜେଶ୍ବରୀ ରେଡ୍ଡୀ । ବାପା ମାଙ୍କ ସ୍ବପ୍ନକୁ ସାକାର କରୁ କରୁ ସେ ଆଜି ପାଲଟି ଯାଇଛନ୍ତି ସଫଳ କଫି ଉଦ୍ୟୋଗୀ ।
କୋରାପୁଟ ଜିଲ୍ଲାର ଏକ ପ୍ରକାର ଅପହଞ୍ଚ ଇଲାକା ହେଉଛି କେଲାର ଗାଁ । ସେଠାକାର ପ୍ରାୟ 54 ଏକର ଜମିରେ 1998 ମସିହାରେ ରାଜେଶ୍ବରୀଙ୍କ ବାପା ଗୋବିନ୍ଦ ରେଡ୍ଡୀ ଓୟୁଏଟିରୁ ଅବସର ନେଇ କଫି ଚାଷ ଆରମ୍ଭ କରିଥିଲେ । ସ୍ବପ୍ନ ଥିଲା ଅଞ୍ଚଳବାସୀଙ୍କୁ କର୍ମ ନିଯୁକ୍ତି ଓ ଓଡ଼ିଶା କଫିକୁ ପରିଚୟ ପ୍ରଦାନ । ଗୋବିନ୍ଦ ଓ ତାଙ୍କ ସ୍ତ୍ରୀ ନିର୍ମଳା ଦେବୀଙ୍କ ଉଦ୍ୟମରେ ସିଲଭର ଓକ ବଣରେ ହସି ଉଠିଥିଲା କଫି ବଗିଚା । ସେପଟେ ପିଲାଟି ଦିନରୁ ରାଜେଶ୍ବରୀ ଦେଖିଥିଲେ ଅନେକ ସ୍ବପ୍ନ । ସେ ସ୍ବପ୍ନ ସବୁ ତାଙ୍କୁ ନେଇ ଯାଇଥିଲା ଅଷ୍ଟ୍ରେଲିଆରେ ନିଜସ୍ବ ରେସ୍ତୋଁରା ଖୋଲିବା ପର୍ଯ୍ୟନ୍ତ । ବେଶ ଭଲ ଚାଲିଥିଲା ଅଷ୍ଟ୍ରେଲିଆରେ ରାଜେଶ୍ବରୀଙ୍କ ଦୁନିଆ । କିନ୍ତୁ 2014ରେ ହାଠତ ମାଡି ଆସିଥିଲା ପ୍ରଳୟଙ୍କରୀ ଝଡ ହୁଡହୁଡ । ଆଉ ଉଜାଡି ଦେଇଥିଲା ରାଜେଶ୍ବରୀଙ୍କ ବାପା ଗୋବିନ୍ଦ ରେଡ୍ଡୀଙ୍କ ସ୍ବପ୍ନ ସାକାର କରୁଥିବା କଫି ବଗିଚାକୁ । ଯାହାପରେ ନିଜର ସବୁ ସ୍ବପ୍ନକୁ ଅଷ୍ଟ୍ରେଲିଆରେ ଛାଡି ମା-ବାପାଙ୍କ ସ୍ବପ୍ନ ସାକାର କରିବାକୁ ସୁଦୂର ଅଷ୍ଟ୍ରେଲିଆରୁ ନିଜ ଜନ୍ମମାଟି କେଲାର ଗାଁକୁ ଫେରି ଆସିଥିଲେ ରାଜେଶ୍ବରୀ ।
ବାପା ମାଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଉଜୁଡି ଯାଇଥିବା କଫି ବଗିଚାକୁ ପୁଣିଥରେ ସଜାଡ଼ିବାକୁ ଆରମ୍ଭ କଲେ ସେ । କିନ୍ତୁ ସମସ୍ୟା ସେତିକିରେ ସରିନଥିଲା । ବାପା ଗୋବିନ୍ଦ ରେଡ୍ଡୀ ହଠାତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଚିକିତ୍ସାଳୟରେ ଶଯ୍ୟାଶାୟୀ ହେଲେ । ମା ନିର୍ମଳାଦେବୀଙ୍କୁ ମଧ୍ୟ କଫି ବଗିଚା ଛାଡି ସ୍ବାମୀଙ୍କ ସେବା କରିବା ପାଇଁ ହାଇଦ୍ରାବାଦ ଯିବାକୁ ପଡିଲା । ଉଜୁଡିଯାଇଥିବା କଫି ବଗିଚାର ନିଛାଟିଆ ପରିବେଶରେ ଏକା ଏକା ସଂଘର୍ଷ କରୁଥିଲେ ରାଜେଶ୍ବରୀ । ଆଖି ଆଗରେ ଟଳି ପଡିଥିବା 6000 ସିଲଭର ଓକ ଗଛ ସାଙ୍ଗକୁ ସେଥିରେ ମାଡିଥିବା ଗୋଲମରିଚ ଲତା ଓ ଚାପି ହୋଇ ରହିଥିବା ଅନୁରୂପ ପରିମାଣର କଫି ଗଛ ରାଜେଶ୍ବରୀଙ୍କ ଆଡକୁ ଅସହାୟ ଅବସ୍ଥାରେ ଅନାଇ ରହିଥିଲେ । ଏକାଥିଲେ ବି ଅସୀମ ସାହସ ସଞ୍ଚାର କରି କଫି ବଗିଚା ସଜାଡିବାକୁ ଅଣ୍ଟା ଭିଡିଲେ ରାଜେଶ୍ବରୀ । ଏତିକି ବେଳେ ସବୁଦିନ ପାଇଁ ଆଖି ବୁଜିଲେ ତାଙ୍କ ବାପା ଗୋବିନ୍ଦ ।
ଗୋବିନ୍ଦଙ୍କ ମୃତ୍ୟୁ ପରେ ସତେ ଯେମିତି ରାଜେଶ୍ବରୀ ଓ ତାଙ୍କ ନିର୍ମଳା ଦେବୀଙ୍କ ଉପରେ ଆକାଶ ଛିଣ୍ଡି ପଡିଥିଲା । ଗୋବିନ୍ଦ ରେଡ୍ଡୀ ଯେତେବେଳେ ଏହି କଫି ଉଦ୍ୟୋଗ ଆରମ୍ଭ କରିଥିଲେ ରାଜେଶ୍ବରୀ ଓ ତାଙ୍କ ମା ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ ଯେ ଏତେ ବଡ କଫି ବଗିଚାର ଦାୟିତ୍ବ ତାଙ୍କୁ ଏକାକୀ ନେବାକୁ ହେବ । ବନ୍ଧୁ ବାନ୍ଧବ, ସାଙ୍ଗସାଥି, ଶୁଭେଚ୍ଛୁ ସେମାନଙ୍କୁ ଏହି କଫି ବଗିଚାକୁ ବିକି ଦେଇ ଅନ୍ୟତ୍ର ଚାଲିଯିବା ପାଇଁ ମତ ଦେଇଥିଲେ । କିନ୍ତୁ ରାଜେଶ୍ବରୀଙ୍କ ସାମ୍ନାରେ ଥିଲା ମା' ବାପା ଦେଖିଥିବା ସ୍ବପ୍ନ । ବିଶେଷକରି ଏହି ଅଞ୍ଚଳର ନିରୀହ ଜନତାଙ୍କ ପାଇଁ ଏକ ସୁରକ୍ଷିତ କର୍ମସ୍ଥଳୀ ଭାବେ ଠିଆ ହୋଇଥିବା କଫି ବଗିଚା । ଯାହା ରାଜେଶ୍ବରୀଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା । ବାପା ମା ଝାଳ ବୁହାଇ ନିଜ ପାଇଁ ଓ ଅଞ୍ଚଳବାସୀଙ୍କ ପାଇଁ ଗଢିଥିବା ଏହି ସ୍ବପ୍ନର ଦୁନିଆକୁ ଛାଡିଯିବା ପାଇଁ ସେ ରାଜି ହୋଇପାରିଲେ ନାହିଁ । ମାଙ୍କ ହାତକୁ ଜାବୁଡି ଧରି କଫି ବଗିଚାଟିକୁ ପୁଣିଥରେ ଚଳଚଞ୍ଚଳ କରିବା ପାଇଁ ନିଷ୍ପତ୍ତି ନେଲେ । ମା ନିର୍ମଳା ଦେବୀଙ୍କ ବଳିଷ୍ଠ ଇଚ୍ଛାଶକ୍ତି ଓ ରାଜେଶ୍ବରୀଙ୍କର ଆତ୍ମବିଶ୍ବାସ ସେମାନଙ୍କୁ ଆଉ ପଛକୁ ଫେରାଇ ପାରିନାହିଁ । ସମସ୍ତ ପ୍ରତିକୂଳ ଅବସ୍ଥାକୁ ସାମନା କରି ଦୁହେଁ ଉଜୁଡି ଯାଇଥିବା କଫି ବଗିଚାରେ ନୂତନ ପ୍ରାଣ ସଞ୍ଚରିତ କରିବା ପାଇଁ ଦିନରାତି ଏକ କରିଦେଲେ । ହୁଡ଼ହୁଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ ଲାଘବ କରିବା ପାଇଁ ସରକାରୀ ସହାୟତା ବା ସହଯୋଗ ମିଳିବା ଆଶାରେ ଏହି ଦୁଇ ମହିଳା ଜିଲ୍ଲା ପ୍ରଶାସନର ଦାଣ୍ଡ ମାଡି ମାଡି ନୟାନ୍ତ ହେବା ପରେ ସରକାରୀ ସହାୟତା ମିଳିବାର ଆଶା ମଉଳି ଯାଇଥିଲା । ତଥାପି ସେମାନେ ହାରି ନଥିଲେ । ନିଜ ପ୍ରୟାସରେ କର୍ଣ୍ଣାଟକର ବ୍ୟବସାୟୀଙ୍କ ସହ ସମ୍ପର୍କ କରି ବଗିଚାରେ ପଡିରହିଥିବା 6000 ଟି ସିଲଭର ଓକ ଗଛକୁ ବିକ୍ରି କରିଥିଲେ । ସେହି ବିକ୍ରିରୁ ମିଳିଥିବା ଅର୍ଥକୁ ସମ୍ବଳ କରି ପୁଣିଥରେ ବଗିଚାରେ 4000 ସିଲଭର ଓକ ଗଛ ଲଗାଇବା ସହ ଗୋଲମରିଚ ଚାଷର ପୁନରୁଦ୍ଧାର କରିବାରେ ସେମାନେ ସକ୍ଷମ ହୋଇପାରିଛନ୍ତି ।
ସେମାନଙ୍କର ଏହି ପ୍ରୟାସରେ ସ୍ଥାନୀୟ ମହିଳାଙ୍କ ସହଯୋଗ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହି କଫି ବଗିଚାରେ କାମ କରୁଥିବା ଆଦିବାସୀ ମହିଳା ମଧ୍ୟ ଏହାକୁ ନିଜ ଉଦ୍ୟୋଗ ଭାବି ମା ଝିଅଙ୍କୁ ବେଶ ସହଯୋଗ କରିଛନ୍ତି । ହୁଡହୁଡ ଉଜାଡି ଦେଇଥିବା ଏହି କଫି ବଗିଚା ଆଜି ପୁଣି ହସୁଛି । ପ୍ରତିବର୍ଷ ଏଠାରୁ ଉତ୍ପନ୍ନ ଦେଉଛି 12ରୁ 15 ଟନ କଫି ଓ 3 ଟନ ଗୋଲମରିଚ । ନିଜ ପାଇଁ ବଞ୍ଚିବାର କ୍ଷେତ୍ର ପ୍ରସ୍ତୁତ କରିବା ସହିତ ଦାଦନ ଖଟିବା ପାଇଁ ବାଧ୍ୟ ହେଉଥିବା ମହିଳାଙ୍କୁ କର୍ମ କ୍ଷେତ୍ରଟିଏ ଯୋଗାଇଦେବାର ଆନନ୍ଦ ରାଜେଶ୍ବରୀ ଓ ତାଙ୍କ ମା ନିର୍ମଳା ଦେବୀ ମହିଳାଙ୍କୁ ଦେଇଛି ଆତ୍ମସନ୍ତୋଷ । ଆଉ ପ୍ରତିକୂଳ ପରିସ୍ଥିତିରେ ହାର ମାନିନଥିବା ରାଜେଶ୍ବରୀ ପାଲଟିଛନ୍ତି ସଭିଁଙ୍କ ପାଇଁ ଉଦାହରଣ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ