କୋରାପୁଟ: ବୋରିଗୁମ୍ମାର ବହୁ ପୁରାତନ ବଟୁକ ଭୈରବ ମନ୍ଦିର ପରିସରର ମୂକସାକ୍ଷୀ ପାଲଟିଛି ଏକ କୋଣରେ ପଡି ରହିଥିବା ଶିଳାଲେଖ । କୋରାପୁଟ ଇତିହାସର ମୂକସାକ୍ଷୀ ସାଜି ଇତିହାସକାର ଓ ବିଶେଷଜ୍ଞଙ୍କୁ ଆହ୍ୱାନ ଦେଉଛି ଓଡ଼ିଶାର ଇତିହାସ ପୃଷ୍ଠାରେ ଏକ ନୂତନ ପୃଷ୍ଠା ଯୋଡ଼ିଦେବା ପାଇଁ ।
ବୋରିଗୁମ୍ମା ଉପକଣ୍ଠରେ ଭୈରବ ପର୍ବତର ପାଦ ଦେଶରେ କାହିଁ କେଉଁ କାଳରୁ ଏକ ଛୋଟ ଟିଣ ଘରେ ଭୈରବ ଦେବତା ପୂଜା ପାଇଁ ଆସୁଛନ୍ତି । ଏହି ମନ୍ଦିରର ବିଶେଷତ୍ୱ ହେଲା ଭୈରବଙ୍କ ମନ୍ଦିର ଓ ପାତାଳେଶ୍ୱରଙ୍କ ମନ୍ଦିର ପରସ୍ପରକୁ ଯୋଡି ହୋଇ ରହିଛି । କିମ୍ବଦନ୍ତୀ ଅନୁଯାୟୀ ଶିବ ସବୁବେଳେ ଧ୍ୟାନମଗ୍ନ ହୋଇ ରହୁଥିବା ଯୋଗୁଁ ମାତା ପାର୍ବତୀଙ୍କ ଆଜ୍ଞା କ୍ରମେ ତାଙ୍କ ମନ୍ଦିରକୁ ଭୈରବ ଜଗି ରହିଛନ୍ତି । ସ୍ଥାନୀୟ ଗବେଷକ ମୁରଲୀକ୍ରୀଷ୍ଣାଙ୍କ କହିବା ଅନୁଯାୟୀ ବୋରିଗୁମ୍ମା ଅଞ୍ଚଳରେ ଭୈରବ ତାଙ୍କ ସମସ୍ତ ୬୪ ପ୍ରକାର ରୂପରେ ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି । ତତସହିତ ୬୪ଟି ସ୍ଥାନରେ ଭୈରବୀ ମଧ୍ୟ ପୂଜା ପାଉଛନ୍ତି । ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ସେ ମଧ୍ୟରୁ ଅନେକ ପୂଜା ପୀଠ ହଜି ଯାଇଥିବା ବେଳେ ବୋରିଗୁମ୍ମାର ବଟୁକ ଭୈରବ ପୀଠ ଏ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇରହିଛି ।
ମନ୍ଦିର ବେଢାରେ ଥିବା ଶିଳାଲେଖ ବହୁତ ପୁରାତନ ହୋଇଥିବା ଯୋଗୁଁ ମନ୍ଦିର ଓ ଗବେଷକଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ପାଖରେ ଅନୁରୋଧ କରିଥିଲେ ହେଁ କେହି ଏ ଦିଗରେ ଦୃଷ୍ଟି ଦେଉ ନାହାନ୍ତି । ଫଳରେ କୋରାପୁଟ ଅଞ୍ଚଳର ଇତିହାସ ପୁନର୍ବାର ଲେଖିବାର ସୁଯୋଗ ହାତ ଛଡା ହୋଇ ଯାଉଥିବା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଜଣାଇଛନ୍ତି । ପୁରାତନ ମନ୍ଦିର ସ୍ଥାନରେ ଏକ ନୂତନ ମନ୍ଦିର ନିର୍ମାଣ ଚାଲିଛି । ତେବେ ପରମ୍ପରା ଓ ଏଠାରେ ପାଇଥିବା ପୁରାତନ ପ୍ରତିମୂର୍ତ୍ତି ଏବଂ ଶିଳାଲେଖକୁ ସୁରକ୍ଷିତ ଭାବେ ମନ୍ଦିରରେ ରଖିବାର ବ୍ୟବସ୍ଥା କରାଯାଉଥିବା ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
ପୂର୍ବ ପୁରୁଷଙ୍କ ଠାରୁ ଉତ୍ତରାଧିକାରୀ ଭାବେ ପାଇଥିବା ପୂଜା କରିବାର ସୁଯୋଗକୁ ସମ୍ମାନ ଜଣାଇ ଅତି ଶ୍ରଦ୍ଧାର ସହ ଭୈରବଙ୍କ ପୂଜାର୍ଚ୍ଚନା ସମ୍ପନ୍ନ କରି ଚାଲିଛନ୍ତି ଯୁବ ଆଦିବାସୀ ପୂଜକ ହେମନ୍ତ ପୂଜାରୀ । ନିତ୍ୟ ଭୋଗ ଭାବେ ଚାଉଳ, ପଣା ଆଦି ଦିଆଯାଉଥିବା ବେଳେ ପ୍ରତିବର୍ଷ ମାଘ ମଣ୍ଡେଇ ସମୟରେ ଭକ୍ତମାନେ ବିଭିନ୍ନ ଫଳମୂଳ ଆଣି ଭୈରବଙ୍କୁ ଭୋଗ ଲଗାଇଥାନ୍ତି । ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ବହୁ ଭକ୍ତଙ୍କୁ ଆକୃଷ୍ଟ କରୁଥିବା ସେ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ