କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ କୃଷି ସଚିବ ଅରବିନ୍ଦ ପାଢୀ । ରାଜ୍ୟ ସରକାରଙ୍କ ମିଲେଟ ମିଶନର ସଫଳତା ପରେ ବର୍ତ୍ତମାନ ରାଜ୍ୟରେ କଫି, ମସଲା ଉଦ୍ୟାନ ଓ ଛତୁ ମିଶନ ଆରମ୍ଭ କରାଯିବା ନେଇ କଲେ ଘୋଷଣା । ଏନେଇ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
ଗତ ପ୍ରାୟ ୪୦ ବର୍ଷ ଧରି କୋରାପୁଟ ଜିଲ୍ଲାରେ କଫି ଚାଷ କରାଯାଉଥିଲେ ହେଁ ପଡୋଶୀ ଆନ୍ଧ୍ରପ୍ରଦେଶ ତୁଳନାରେ ଏଠାରେ ଉତ୍ପାଦନ ଢେର କମ ହେଉଛି । କୋରାପୁଟ କଫିର ଉନ୍ନତମାନକୁ ଗୁରୁତ୍ଵ ଦେଇ ଦେଶ ବିଦେଶରେ ଏହାର ଆଦର ବଢ଼ି ଚାଲିଥିବା ବେଳେ ଉତ୍ପାଦନ ବହୁ ପରିମାଣରେ କମ ହେଉଥିବାରୁ କଫି ଚାଷୀ ବଜାରର ଆବଶ୍ୟକତାର ଲାଭ ଉଠାଇ ପାରୁନଥିବା ଅଗ୍ରଣୀ କଫି ଚାଷୀ ସୁଜୟ ପ୍ରଧାନ ମତ ରଖିଛନ୍ତି ।
ଏନେଇ ରାଜ୍ୟ ସରକାର କଫି ଉତ୍ପାଦନ ବୃଦ୍ଧି କରିବା ପାଇଁ ମିଶନ କଫି ଆରମ୍ଭ କରିବେ ବୋଲି କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା କୃଷି ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଓଡ଼ିଶାର ସମୁଦାୟ ଉତ୍ପାଦନ କେବଳ ୪୦୦ରୁ ୫୦୦ ଟନ ଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୧୦-୧୫ ହଜାର ଟନ୍ ଉତ୍ପାଦନ ହେଉଛି । ତେଣୁ ଓଡ଼ିଶା ସରକାର କଫିର ଉତ୍ପାଦନ ବୃଦ୍ଧି କରିବା ପାଇଁ କଫି ମିଶନ ଆରମ୍ଭ କରିବା ଫଳରେ ଚାଷୀ ଉପକୃତ ହେବେ ବୋଲି କଫି ଚାଷୀ ଆଶା ପ୍ରକାଶ କରିଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ଗୋଲମରିଚ, ଅଳେଇଚ, ଡାଳଚିନି, ଅଦା, ରସୁଣ ଭଳି ମସଲା ଜାତୀୟ ଫସଲ ଉତ୍ପାଦନ ହେଉଥିବା ବେଳେ ସେଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ମସଲା ମିଶନ ଆରମ୍ଭ କରାଯିବ ବୋଲି କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ତେବେ ଏହା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୋରାପୁଟ ଫାର୍ମର୍ସ ଆସୋସିଏସନର ସମ୍ପାଦକ ଶରତ ପଟ୍ଟନାୟକ ମତ ରଖିଛନ୍ତି ।
ଇଟିଭି ଭାରତ, କୋରାପୁଟ