କୋରାପୁଟ: କୋରାପୁଟ ସମେତ ରାୟଗଡା, ଗଜପତି ଓ କନ୍ଧମାଳରେ ରେଶମ ପୋକ ଚାଷ କରି ଚାଷୀ ବେଶ ଲାଭବାନ ହେଉଥିବା କୋରାପୁଟଠାରେ ଥିବା ଆଞ୍ଚଳିକ ରେଶମ ଉତ୍ପାଦନ ଗବେଷଣା କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ କୋଷଲୁ ଆଲମ ଜଣାଇଛନ୍ତି ।
ବୁଧବାର କୋରାପୁଟରେ ଆୟୋଜିତ ରେଶମ କୃଷିମେଳାରେ ଏହି ଜିଲ୍ଲା ଗୁଡିକରୁ ଆସିଥିବା 200ରୁ ଉର୍ଦ୍ଧ ଚାଷୀ ରେଶମ କୃଷି ସମ୍ପର୍କିତ ନୂତନ ଜ୍ଞାନ କୌଶଳ ଜାଣିବା ସହିତ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବାପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିବା ସେ ଜଣାଇଛନ୍ତି ।
କାଶୀପୁର ଅଞ୍ଚଳର ସଫଳ ଚାଷୀ ଲକିଧର ଝଡ଼ିଆ ଯିଏକି ଗତ ଦୁଇବର୍ଷ ପୂର୍ବେ ରେଶମ ପୋକ ଚାଷ କରିବାକୁ ଆରମ୍ଭ କରି ଅତି କାମ ସମୟ ମଧ୍ୟରେ ଦୁଇ ଏକର ଜମିରେ 70 ହଜାର ଟଙ୍କାର ଆୟ କରିପାରିଛନ୍ତି ତାଙ୍କ ସହିତ ଅନ୍ୟ ଚାଷୀ ବାର୍ତ୍ତାଳାପ କରି ତାଙ୍କ ସଫଳତାର କାହାଣୀ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହି ଅବସରରେ ରେଶମ ପୋକ ତଥା ଏହି ଚାଷ ସମ୍ପର୍କିତ ସମସ୍ତ ତଥ୍ୟକୁ ସମ୍ବଳ କରି ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ