କୋରାପୁଟ: ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ପର୍ବରେ ଘରକୁ ଆଲୋକରେ ସଜେଇବା ପାଇଁ ବିଭିନ୍ନ ଲାଇଟିଂ ସାମଗ୍ରୀ କିଣିବାରେ ବ୍ୟସ୍ତ ହୋଇପଡିଲେଣି ଲୋକେ । ଚଳିତ ବର୍ଷ ମଧ୍ୟ ଚାଇନା ସାମଗ୍ରୀ ଅପେକ୍ଷା ଦେଶି ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । ତେବେ ଦେଶୀ ସାମଗ୍ରୀର ଏହି ଚାହିଦା ଭିତରେ ଜିଲ୍ଲାରେ ବେଶ ଆଦୃତ ହୋଇଛନ୍ତି କୋରାପୁଟର ଟେରାକୋଟା ଝିଅ ଶିବାନୀ । ତେବେ କିଏ ଏହି ଶିବାନୀ, କାହିଁକି ତାଙ୍କୁ କୋରାପୁଟର ଟେରାକୋଟା ଝିଅ ଭାବେ ଆଖ୍ୟା ଦିଆଯାଇଛି । ଜାଣିବା ଆମର ଏହି ରିପୋର୍ଟରେ....
ମୁମ୍ବାଇରେ ରହୁଥିବା ସମୟରେ ନିଜ ପାଇଁ ତଥା ପାଖ ପଡ଼ୋଶୀଙ୍କ ପାଇଁ ଦୀପ ଓ ଅନ୍ୟାନ୍ୟ ମାଟିର ଜିନିଷରେ ଚିତ୍ର ଆଙ୍କିବାର ସଉକ ଆଜି ଶିବାନୀଙ୍କୁ କୋରାପୁଟର ଟେରାକୋଟା ଝିଅ କରିବାରେ ସମର୍ଥ କରିଛି । ଚିତ୍ରକଳାରେ ପ୍ରଶିକ୍ଷଣ ପାଇଥିବା ଶିବାନୀ କୋରାପୁଟକୁ ବୋହୁ ହୋଇ ଆସିବା ପରେ ସହର ନିକଟରେ ଥିବା ଝଡ଼ିଗୁଡା ଓ କୁମ୍ଭାର ଲିମକାର କୁମ୍ଭାର ମାନଙ୍କ ସହ ହାତ ମିଶାଇ ମାଟିରେ ପ୍ରସ୍ତୁତ ହେଉଥିବା ପ୍ରତିଟି ଜିନିଷ ମଧ୍ୟରେ ଉନ୍ନତ କଳାତ୍ମକ ପରିପ୍ରକାଶ କରି ସେଗୁଡିକର ମାନ ବୃଦ୍ଧି କରିବାରେ ଲାଗି ପଡିଛନ୍ତି।
ଶିବାନୀ କୁମ୍ଭାର ମାନଙ୍କୁ ଡିଜାଇନ ଦେଇଥାନ୍ତି । ପରେ କୁମ୍ଭାର ମାଟିରେ ଶିବାନୀଙ୍କ ଡିଜାଇନକୁ ଜୀବନ୍ତ ରୂପ ଦେଇଥାଏ । ଏପରି ସହଭାଗିତାରେ ତିଆରି ହୋଇଥିବା କଳାକୃତିରେ ଶିବାନୀ ନିଜ ଭାବନାର ରଙ୍ଗ ଭରିଦିଅନ୍ତି । ଶିବାନୀଙ୍କ ଟେରାକୋଟା କୋରାପୁଟର ପର୍ବ ଠାରୁ ଆରମ୍ଭ କରି ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଆୟୋଜିତ ହେଉଥିବା ଯାତ୍ରା ଓ ବଜାରରେ ଏକ ବିଶେଷ ଆକର୍ଷଣ ସାଜିଛି । ତେବେ ଚଳିତ ବର୍ଷ କୋଭିଡ ଜନିତ ପ୍ରତିବନ୍ଧକ ଯୋଗୁଁ କୋରାପୁଟରେ ପର୍ବଠାରୁ ଆରମ୍ଭ କରି କଟକର ବାଲିଯାତ୍ରା ପର୍ଯ୍ୟନ୍ତ ସବୁ ଯାତ୍ରା, ମେଳା ଓ ବଜାର ବାତିଲ କରି ଦିଆଯାଇଛି । ଯାହା ଶିବାନୀଙ୍କ ମନରେ ନିରାଶା ଭରିଦେଇଛି ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ କଳା ପିପାସୁ ଗ୍ରାହକ ଶିବାନୀଙ୍କ ଦ୍ୱାରା ପ୍ରସ୍ତୁତ ମାଟିର କଳାକୃତିକୁ କିଣିନେବା ପାଇଁ ପ୍ରସ୍ତୁତ ଥିବା ବେଳେ ଏହି ନିଷେଧାଦେଶ ସବୁକିଛିକୁ ଭଣ୍ଡୁର କରିଦେଇଛି । ତଥାପି ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ନିଷେଧ କରାଯାଇଥିବା ଯୋଗୁଁ କୋରାପୁଟରେ ଲୋକେ ବିଭିନ୍ନ ଡିଜାଇନର ଦୀପ ଶିବାନୀଙ୍କ କର୍ମଶାଳାରୁ ଅଧିକରୁ ଅଧିକ କିଣି ନେଉଛନ୍ତି । ଏହା ଶିବାନୀ, କୁମ୍ଭାର ଓ ଶିବାନୀଙ୍କ ପରିବାରର ସଦସ୍ୟଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିଦେଇଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ