କୋରାପୁଟ: ଲଗାଣ ବର୍ଷାରେ କୋରାପୁଟ ବେହାଲ । ଗତ ତିନିଦିନ ଧରି କୋରାପୁଟ ଜିଲ୍ଲାରେ ଭୀଷଣ ବୃଷ୍ଟିପାତ ଯୋଗୁଁ ପାହାଡରୁ ମାଟି ଅତ଼ଡା ଧସିଯାଇଛି । ଆଜି ପାହାନ୍ତିଆରେ କୋରାପୁଟ ବୋରିଗୁମ୍ମା ରାଜପଥରେ ରାଣୀଗଡ ଗ୍ରାମ ନିକଟରେ ପାହାଡ଼ ଉପରୁ ବିଶାଳ ଆକାରର ମାଟି ଅତଡା ଖସିଆସିଛି ।
ଫଳରେ କୋରାପୁଟ ଓ ବୋରିଗୁମ୍ମା ମଧ୍ୟରେ ଯାନବାହନ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଉପରୁ ମାଟି ଅତଡା କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି ।
ତେବେ ଅଧିକ ବର୍ଷା ହେଲେ ପାହାଡ଼ରୁ ପୁଣିଥରେ ମାଟି ଓ ପଥର ଖସିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି । ଗତକାଲି ଠାରୁ ଆଜି ମଧ୍ୟରେ କୋରାପୁଟ ଜିଲ୍ଲାରେ ସମୁଦାୟ ୬୪୭.୪ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ