କୋରାପୁଟ: ଜିଲ୍ଲା ଜୟପୁର ସ୍ଥିତ ଐତିହାସିକ ଜଗନ୍ନାଥ ସାଗରର ହେବ ପୁନରୁଦ୍ଧାର । ଏନେଇ ଜୟପୁର ପୋୖରାଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେବା ପରେ ଜୟପୁରବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି । 230 ବର୍ଷ ତଳର ଏହି ସାଗରର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା ବେଳେ ତାହା ଏବେ ପୂରଣ ହେବାକୁ ଯାଉଛି ।
କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଐତିହାସିକ ଜଗନ୍ନାଥ ସାଗର ପାଖାପାଖି 230 ବର୍ଷ ପୁରୁଣା ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଏହାର ମହତ୍ତ୍ୱ ବେଶ ଅଧିକ ରହିଥାଏ । ତେବେ ଦୀର୍ଘ ଦିନ ହେଲା ରକ୍ଷଣା ବେକ୍ଷଣ ଅଭାବରୁ ଏହା ପୋତି ହେବାକୁ ବସିଲାଣି । ତେବେ ଖୁବଶୀଘ୍ର ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଗତ ଜୁଲାଇ ମାସରେ ରାଜ୍ୟ ସରକାରଙ୍କ ଦ୍ବାରା 'ଆମ ପୋଖରୀ ଯୋଜନା' ଅଧିନରେ ଏହାର ସଫେଇ କାର୍ଯ୍ୟ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ଏହା ଆରମ୍ଭ ହୋଇନାହିଁ ।
ଅନ୍ୟପଟେ ଏହାର ପୁନରୁଦ୍ଧାର ଦାୟିତ୍ୱ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଲେକ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବେ ପରିଚିତ କର୍ଣ୍ଣାଟକ ବାସିନ୍ଦା ଆନନ୍ଦ ମାଲ୍ଲିଗାଭାଡଙ୍କୁ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଜୟପୁର ପୋୖରାଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ । ପୋୖରାଧିକାରୀଙ୍କ ସୂଚନା ପରେ ସ୍ଥାନୀୟଲୋକଙ୍କ ମନରେ ଆଶା ଉଜ୍ଜୀବିତ ହେବା ସହ ଖୁସିର ମାହୋଲ ଦେଖାଯାଇଛି ।
ଏହାମଧ୍ୟ ପଢନ୍ତୁ..ବ୍ରାହ୍ମଣୀ ନଦୀର ହେବ ପୁନରୁଦ୍ଧାର, ଜଳ ସମ୍ପଦ ବିଭାଗ-IIT ଗୌହାଟୀ ମଧ୍ୟରେ ବୁଝାମଣା
ଜଗନ୍ନାଥ ସାଗର ସହ କୋଟପାଡ ସ୍ଥିତ ଦମୟନ୍ତି ସାଗରର ପୁନରୁଦ୍ଧାର ଦାୟିତ୍ୱ ଦିଆଯାଇଛି । ଉଭୟ ସାଗରର ପରିଦର୍ଶନ କରି ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ଖୁବଶୀଘ୍ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ପୌରାଧିକାରୀ କହିଛନ୍ତି ।
ସ୍ଥାନୀୟ ଗବେଷକଙ୍କ କହିବାନୁଯାୟୀ ଜଗନ୍ନାଥ ସାଗର କେବଳ ଏକ ବିରାଟ ସାଗର ନୁହେଁ । ତଳମୁଣ୍ଡରେ ଜଳସେଚନ କରିବା ପାଇଁ ତତ୍କାଳୀନ ଜୟପୁର ମହାରାଜାଙ୍କ ଦ୍ୱାରା 1792 ମସିହାରେ ବିଶାଳ ଜଳାଶୟ ଭାବେ ନିର୍ମାଣ କରାଯାଇଥିଲା । ସେତେବେଳେ ଏହା 400 ଏକର ଜାଗାରେ ବ୍ୟାପିଥିବା ବେଳେ ଆଜି ରକ୍ଷଣାବେକ୍ଷଣ ଅଭାବରୁ ସାଗର ମଧ୍ୟରେ ମାଟି ପଙ୍କ ଜମିଯାଇ ୩୦ ଫୁଟ ଗଭୀରତାରୁ ୧୨-୧୫ ଫୁଟ ଗଭୀରତାରେ ପହଞ୍ଚିଛି ।
ଜଗନ୍ନାଥ ସାଗର ଚାରିପଟେ ପ୍ରଶାସନର ସମସ୍ତ ନୀତି ନିୟମର ନାକତଳେ ଜମିଗୁଡ଼ିକୁ ନିଜ କବ୍ଜାକୁ ନିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଜୟପୁର ସହରର ସୌନ୍ଦଯ୍ୟ ବୃଦ୍ଧି କରୁଥିବା ଏହି ସାଗରର ସଫେଇ କାର୍ଯ୍ୟ ରାଜସ୍ୱ ବିଭାଗ, ମତ୍ସ୍ୟ ବିଭାଗ, ଜଳସମ୍ପଦ ବିଭାଗ ଓ ପୌରପରିଷଦ ଦାୟିତ୍ୱ ନେଇଥିବା ବେଳେ ସମସ୍ତ ବିଭାଗ ଏକାଠି ବସି ସାମଗ୍ରିକ ଭାବେ କିପରି ଏହାର ଉନ୍ନତି ହୋଇପାରିବ ସେନେଇ ଯୋଜନା କରାଯିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଗବେଷକ ପରେଶ ରଥ ମତ ରଖିଛନ୍ତି ।
କାହିଁ କେବେଠାରୁ ଏହି ସାଗରରେ ଶୀତ ଓ ବସନ୍ତର ସଂଧିକ୍ଷଣରେ ଦୁରଦୁରାନ୍ତରୁ ବିଭିନ୍ନ ପ୍ରକାରର ପକ୍ଷୀ ଆସିଥାଆନ୍ତି । କିନ୍ତୁ ବର୍ଷ ପରେ ବର୍ଷ ସାଗର ମଧ୍ୟରେ ପାଣି ଅପେକ୍ଷା ଦଳ ବଢ଼ି ଚାଲିଥିବା ଓ ସାଗରର ପରିସୀମା କମିଯାଉଥିବା ଯୋଗୁଁ ପକ୍ଷୀଙ୍କ ସଂଖ୍ୟା ମଧ୍ୟ କମି କମି ଆସୁଥିବା ମତ ପ୍ରକାଶ କରିଛନ୍ତି ଗବେଷକ । ଅଳିଆ ଆବର୍ଜନା ଭରି ଯାଉଥିବା ଯୋଗୁଁ ଜଗନ୍ନାଥ ସାଗରର ସୁରକ୍ଷା ଆବଶ୍ୟକତା ରହିଛି ।
ଇଟିଭି ଭାରତ, କୋରାପୁଟ