କୋରାପୁଟ: ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପାଡାଲଙ୍କ ସେବାକୁ ସବୁଠି ଭୂରି ଭୂରି ପ୍ରଶଂସା କରାଯାଉଛି । ବିଧାୟକ ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ଗାଡିରେ ଡାକ୍ତରଖାନାରେ ଭର୍ତ୍ତି କରି ଦାୟିତ୍ବବୋଧତାର ଉଦାହରଣ ସୃଷ୍ଟି କରିଛନ୍ତି ।
ସୂଚନା ଅନୁଯାୟୀ ବିଧାୟକ ରଘୁରାମ ନବରଙ୍ଗପୁର ଯାଉଥିବା ସମୟରେ ବୋରିଗୁମ୍ମା ନିକଟସ୍ଥ ମଝିଗୁଡା ଠାରେ ଏକ କାର ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ । କାରଟି ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେବା ଫଳରେ ଏକ ଦମ୍ପତି ଗୁରୁତର ଆହତ ହୋଇ ରାସ୍ତାକଡରେ ପଡି ରହିଥିଲେ । ଏନେଇ ବିଧାୟକ ତୁରନ୍ତ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ବିଧାୟକଙ୍କ ଏହି ସାହାଯ୍ୟ ପାଇଁ 2 ନିରୀହ ଜୀବନ ବଞ୍ଚିଯାଇଛି । କୋରନା ସମୟରେ ଜଣେ ଅନ୍ୟ ଜଣଙ୍କୁ ଛୁଇଁବାକୁ ଡରୁଥିବା ସମୟରେ ବିଧାୟକଙ୍କ ସେବାକୁ ସାଧାରଣରେ ବେଶ୍ ଚର୍ଚ୍ଚା କରାଯାଉଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ