କୋରାପୁଟ: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶନିବାର କୋରାପୁଟ ଗସ୍ତ କରିଛନ୍ତି । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିବା ଲାଗି ଏକତ୍ରିତ ହୋଇଥିବା କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ବାଟ ମଙ୍ଗଳା ଛକରେ ପାଣ୍ଡିଆନଙ୍କୁ ବିରୋଧ କରାଯିବାକୁ ଯୋଜନା କରାଯାଉଥିବା ଖବର ପାଇବା ପରେ କୋରାପୁଟ ପୋଲିସ କଂଗ୍ରେସ କର୍ମୀଙ୍କୁ ଡୁମୁରିପୁଟଠାରେ ଅଟକ ରଖିଥିବା ସୂଚନା ମିଳିଛି । ପାଣ୍ଡିଆନଙ୍କ ଗସ୍ତକୁ ନେଇ ହଜାର ହଜାର ଛାତ୍ରୀଙ୍କୁ ବସରେ ବୁହାଇ ଆଣିବା ଓ ବ୍ୟୟବହୁଳ ସଭାସ୍ଥଳୀ ଆୟୋଜନକୁ କଂଗ୍ରେସ କର୍ମୀମାନେ ବିରୋଧ କରିଥିବା କହିଛନ୍ତି ।
ଏହା ବି ପଢନ୍ତୁ- ବାରିପଦାରେ 5T ଅଧ୍ୟକ୍ଷ, ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ଦେଲେ ଗୁରୁମନ୍ତ୍ର
କଂଗ୍ରେସର ଅଭିଯୋଗ ଅନୁସାରେ, କେବଳ ପାଣ୍ଡିଆନଙ୍କୁ ଶୁଣିବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ସରକାରଙ୍କ ଦ୍ବାରା ଶତାଧିକ ବସ ବ୍ୟବହାର କରାଯାଇଛି । ଜଣେ ପୂର୍ବତନ ସରକାରୀ କର୍ମଚାରୀଙ୍କ ସୁରକ୍ଷା ଲାଗି ୬ କିମି ଦୂରରେ ଥିବା ଲାଣ୍ଡିଗୁଡାରେ ସରକାରୀ କଲେଜ ପଡିଆ ପର୍ଯ୍ୟନ୍ତ ପୋଲିସ ବନ୍ଦୋବସ୍ତ ହେବା ଓ ଅତି ବ୍ୟୟବହୁଳ ସଭାସ୍ଥଳୀ ଆୟୋଜିତ ହେବାକୁ ଯୁବ କଂଗ୍ରେସର ବରିଷ୍ଠ ସଦସ୍ୟ ରୂପକ ତୁରୁକ ନାପସନ୍ଦ କରିଛନ୍ତି । ଏଥିଲାଗି କଂଗ୍ରେସ ପକ୍ଷରୁ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଥିଲା ବୋଲି ଯୁବ କଂଗ୍ରେସର କର୍ମୀମାନେ କହିଛନ୍ତି ।
ଏହା ବି ପଢନ୍ତୁ- କନ୍ଧମାଳରେ 'ଆମ ଓଡ଼ିଶା, ନବୀନ ଓଡ଼ିଶା ଏବଂ ଯୁବ ଓଡ଼ିଶା' କାର୍ଯ୍ୟକ୍ରମ
ସେପଟେ ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ନିମାଇ ସରକାର କ୍ଷୋଭ ପ୍ରକାଶ କରି କହିଛନ୍ତି, "କଗାଁ ଗଣ୍ଡାକୁ ଯାଉଥିବା ବସଗୁଡିକୁ ଛାତ୍ରଛାତ୍ରୀଙ୍କୁ ବୋହି ଆଣିବା ପାଇଁ ନିୟୋଜିତ କରାଯାଇଛି । ଯାହାଦ୍ବାରା ସାଧାରଣ ଲୋକେ ସହର, ବଜାର ଓ ଚିକିତ୍ସା କେନ୍ଦ୍ରକୁ ଯିବାରୁ ବଞ୍ଚିତ ହେଉଛନ୍ତି ।"
ସୂଚନା ଥାଉ କି ୫ଟି ଅଧ୍ୟକ୍ଷ ପାଣ୍ଡିଆନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିବା ଲାଗି ଆହ୍ବାନ ଦେଇଥିଲେ । ଏହାସହିତ ସେ ପୁଣି ଓଡ଼ିଶା ରୂପାନ୍ତରଣ ସମ୍ପର୍କରେ ଆଲୋଚନା କରିଥିଲେ । ହେଲେ ପାଣ୍ଡିଆନଙ୍କ ଏହି ରୂପାନ୍ତରଣ ବକ୍ତବ୍ୟକୁ ନେଇ ଜଣେ ଛାତ୍ର ପ୍ରଶ୍ନ କରିଛନ୍ତି, " ବିକାଶ ଯଦି ହୋଇଛି ତେବେ ଓଡିଶା ପଛୁଆ କାହିଁକି ?"
ସେପଟେ ଏହି କାର୍ଯ୍ୟକ୍ରମ ଲାଗି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଦୂରରୁ ଅଣାଯାଇଥିବା ବେଳେ ଦିନ ୧୧ଟା ପର୍ଯ୍ୟନ୍ତ ସେମାନଙ୍କ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇନଥିବାରୁ ମହାବିଦ୍ୟାଳୟ କର୍ମଚାରୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଦୂର ଦୁରାନ୍ତରୁ ହଜାର ହଜାର ଛାତ୍ରଛାତ୍ରୀ ସକାଳୁ କଲେଜ ପଡ଼ିଆରେ ଆସି ପହଞ୍ଚିଥିଲେ । କାର୍ଯ୍ୟକ୍ରମରେ ନାଚଗୀତ ସାଙ୍ଗକୁ ପିଲାଙ୍କୁ ଗୁରୁମନ୍ତ୍ର ବାଣ୍ଟିଥିଲେ ପାଣ୍ଡିଆନ ।
ଇଟିଭି ଭାରତ, କୋରାପୁଟ