କୋରାପୁଟ: ନିମ୍ନମାନର ଆଳୁ ବିହନକୁ ନେଇ କୋରାପୁଟରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କ ଠାରୁ ଆଳୁ ବିହନ ମିଳିବାରେ ବିଳମ୍ବ ହେଉଥିବା ବେଳେ ବୋଝ ଉପରେ ନଳିତା ବିଡା ପରି ପଚାଷଢା ବିହନ ମିଳୁଛି । ଯାହାକୁ ନେଇ ଚିନ୍ତାରେ ଚାଷୀ।
ଚଳିତ ବର୍ଷ ଖରିଫ ଋତୁରେ ଆଳୁ ଚାଷ କରିବା ପାଇଁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଆଳୁ ବିହନ ବିଳମ୍ବରେ ପହଞ୍ଚିବା ସହ ଅଧିକାଂଶ ଆଳୁ ବିହନ ଖରାପ ଥିବା ଯୋଗୁଁ କିଛିମାସ ପୂର୍ବେ ସରକାରୀ ବିହନକୁ ଫେରାଇ ଦେଇଥିଲେ ଚାଷୀ । 3 ଟ୍ରକ ବିହନକୁ ଫେରାଇ ଦେବାରୁ କୋରାପୁଟ ଜିଲ୍ଲାରେ ଆଳୁ ଉତ୍ପାଦନରେ ପ୍ରଭାବ ପକାଇଥିଲା । ତେବେ ଚଳିତ ରବି ଋତୁରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଚାଷ ପାଇଁ ଆସିଥିବା ବିହନ ବିଳମ୍ବରେ ପହଞ୍ଚି ଥିବା ବେଳେ ବହୁ ପରିମାଣରେ ଆଳୁ ବିହନ ଖରାପ ହୋଇଯାଇଥିବା ଅଭିଯୋଗ କରିଛନ୍ତି ସ୍ବେଚ୍ଛାସେବୀ ।
ଏହା ମଧ୍ୟ ପଢନ୍ତୁ: ଲକଡପାଜୁ ଜଙ୍ଗଲରେ ଡିନାମାଇଟ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ 50 କର୍ମଚାରୀ
ଚଳିତ ବର୍ଷ ମାର୍ଚ୍ଚ ମାସରେ ସାର୍ଟିଫାଇ ହୋଇଥିବା ବିହନ ଛଅ ମାସ ମଧ୍ୟରେ ବ୍ୟବହୃତ ହେବାର ନିର୍ଦ୍ଦେଶ ଥିବା ବେଳେ ନଭେମ୍ବର ମାସ ଶେଷ ଆଡ଼କୁ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଥିବା ଯୋଗୁଁ ରବି ଫସଲ ମଧ୍ୟ ଅମଳ କମିଯିବ ବୋଲି ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲାରେ ବହୁ ବର୍ଷ ଧରି ବିଭିନ୍ନ କିସମର ଆଳୁ ବିହନ ଲଗାଇ ଚାଷୀ ବ୍ୟବସାୟ କରିଆସିଛନ୍ତି । କେତେବେଳେ ଦେଶୀ ଆଳୁ ତ ଆଉ କେତେବେଳେ ନାଲି ଆଳୁଉତ୍ପାଦନ କରି ବଜାରରେ ନିଜ ସ୍ଥିତିକୁ ସୁଦୃଢ କରିବା ପାଇଁ ଚେଷ୍ଟା କରଆସିଛି । କିନ୍ତୁ ଆଶାନୁରୂପ ଭାବେ ଉତ୍ପାଦନ ହୋଇପାରୁନଥିବା ଯୋଗୁଁ ସରକାରୀ ଓ ବେସରକାରୀ ଯୋଜନାରେ ଉନ୍ନତ କିସମର ବିହନ ଲଗାଇ ଲାଭବାନ ହେବା ପାଇଁ ପ୍ରୟାସ କରୁଥିବା ବେଳେ ସରକାରଙ୍କ ଦ୍ଵାରା ଏପରି ନିମ୍ନମାନର ବିହନ ଯୋଗାଇବାକୁ ନେଇ ଗୁଣ୍ଠାପୁଟର ଚାଷୀ ଧନୁର୍ଜୟ ପାଙ୍ଗି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ