କୋରାପୁଟ: ଦୀର୍ଘ 20 ଦିନ ହେଲାଣି ବିନା ବିଜୁଳିରେ ସଢୁଛନ୍ତି ପଟ୍ଟାଙ୍ଗି ପଞ୍ଚାୟତ ଅନ୍ତର୍ଗତ ପଡାଲଗୁଡା ଗ୍ରାମବାସୀ । ବାରମ୍ଭାର ଅଭିଯୋଗ ପରେ ଶୁଣୁନାହାନ୍ତି ଏସି ରୁମରେ ବସିରହିଥିବା ବିଭାଗୀୟ ଅଧିକାରୀ । ଏଥିରେ ଉତ୍ତେଜିତ ହୋଇ ଅଭିଯୋଗକାରୀ ପଟ୍ଟାଙ୍ଗି ବିଦ୍ୟୁତ ସବଷ୍ଟେସନ ଘେରି ଦାବି ଉପସ୍ଥାପନ କରିଛନ୍ତି ।
ଗାଁକୁ ବିଦ୍ୟୁତ ଖୁଣ୍ଟ ବୋହି ଆଣିବା ଠୁ ଆରମ୍ଭକରି ଗତ ଦୁଇବର୍ଷରେ ଦୁଇଥର ଟ୍ରାନ୍ସଫର୍ମର ମରାମତି ପାଇଁ ନିଜ ହାତରୁ ଖର୍ଚ୍ଚ କରିଥିବା ବେଳେ ଆଉ କରିବା ସମ୍ଭବ ନୁହେଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ଗ୍ରାମବାସୀ ।
ଗତ ୨୦ ଦିନ ତଳେ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ନୂଆ ଟ୍ରାନ୍ସଫରମର ବସାଇବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ । କିନ୍ତୁ ଏ ଦିଗରେ କେହି କର୍ଣ୍ଣପାତ କରି ନଥିବା ଯୋଗୁଁ ଲୋକେ ହନ୍ତସନ୍ତ ହୋଇଛନ୍ତି। ତେବେ ପୋଡିଯାଇଥିବା ଟ୍ରାନ୍ସଫର୍ମରଟିର ଗ୍ୟାରେଣ୍ଟି ଅବଧି ଥିବା ଯୋଗୁଁ କମ୍ପାନୀ ଲୋକେ ଆସି ତାକୁ ବଦଳାଇ ନୂଆ ଟ୍ରାନ୍ସଫର୍ମର ବସାଇବେ ବୋଲି ସଵଷ୍ଟେସନରେ ଥିବା ଚାର୍ଜମ୍ୟାନ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ପ୍ରତିଶ୍ରୁତି ପୁରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
କୋରାପୁଟରୁ ସି. ଏଚ ଶାନ୍ତାକାର , ଇଟିଭି ଭାରତ