କୋରାପୁଟ: ଜିଲ୍ଲାର ଦକ୍ଷତା ବିକାଶ କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଥିବା ଆଇନ୍ ବିଷୟରେ ବକ୍ତବ୍ୟ ରଖିବା ସହ କେହି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହିଁଲେ ସେ ଆଇନ ସମ୍ମତ ଭାବେ ତାହା ଗ୍ରହଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
ସଚେତନତାର ଅଭାବ ହେତୁ ଗାଁ ଗହଳିରେ ଲୋକେ ସାଧାରଣତଃ କାହାର ଅଜ୍ଞାତରେ ଅନ୍ୟର ସନ୍ତାନ ସନ୍ତତିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଥାଆନ୍ତି । ଯାହାକି ଦଣ୍ଡନୀୟ ଅପରାଧ ଅଟେ । ତେଣୁ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଇଚ୍ଛୁକ ଥିବା ଦମ୍ପତିମାନେ ଆଇନ ବ୍ୟବସ୍ଥାରେ ଥିବା ସମସ୍ତ ନୀତି ନିୟମ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଉଚିତ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ବିଭାଗ ସହକାରୀ ପ୍ରଫେସର ଡାକ୍ତର ସନ୍ଦୀପ ତ୍ରିପାଠୀ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ନବଜାତକର ଯତ୍ନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: Padampur Bypoll: ନବୀନ ସରକାରକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ, ଜବାବ ଦେଲା ବିଜେଡି
ଅନେକ ସମୟରେ ଅବିବାହିତା ମହିଳା ଅବୈଧ ସମ୍ପର୍କ ଯୋଗୁଁ ଗର୍ଭବତୀ ହୋଇ ମାଆ ହେବାପରେ ସାମାଜିକ ବାରଣ ଓ ଲୋକଲଜ୍ଜା ଭୟରେ ଛୁଆକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥାନ୍ତି । ଏଭଳି କ୍ଷେତ୍ରରେ ନବଜାତକର ଜୀବନ ପ୍ରତି ବିପଦ ଥାଏ । କୁକୁର କିମ୍ବା କୌଣସି ହିଂସ୍ର ଜନ୍ତୁ ଖାଇ ଯିବା କିମ୍ବା ଅସ୍ୱାସ୍ଥ୍ୟକର ପରିବେଶରେ ଶିଶୁର ମୃତ୍ୟୁ ହେବା ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ସେଭଳି କୌଣସି ପରିସ୍ଥିତିରେ ଛୁଆକୁ ପାଇଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରି ସ୍ଥାନୀୟ ପୋଲିସ୍ କିମ୍ବା ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦେବା ଆବଶ୍ୟକ ବୋଲି ଡାକ୍ତର ତ୍ରିପାଠୀ କହିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି ଏବଂ ଆଶା କର୍ମୀ ଯୋଗ ଦେଇଥିଲେ ।
ଇଟିଭି ଭାରତ, କୋରାପୁଟ