କୋରାପୁଟ : ଦିନ ଥିଲା ଯେତେବେଳେ ବାପ ଅଜା ଅମଳରୁ ପାଇଥିବା ଚାଷ ଉପଯୋଗୀ ଜମିରେ ମାଣ୍ଡିଆ, ଧାନ , ସୁଆଁ ପ୍ରଭୃତି ଚାଷ କରି କୋରାପୁଟ ଜିଲ୍ଲାର ଚାଷୀ ଗୁଜୁରାଣ ମେଣ୍ଟାଉଥିଲେ । ଆଦିବାସୀ ଚାଷୀ ବିହନକୁ ପାହାଡିଆ ଓ ସମତଳ ଭୂମିରେ ସୁଆଁ ବୁଣିଦେଉଥିବା ଯୋଗୁଁ ସୁଆଁର ଉତ୍ପାଦନ କମ ରହୁଥିଲା । ତେଣୁ ବର୍ତ୍ତମାନ ସରକାରଙ୍କ ପ୍ରୋତ୍ସାହନ ତଥା କୋରାପୁଟ ଫାର୍ମର୍ସ ଆସୋସିଏସନ (କେଏଫଏ ) ଭଳି ବିଭିନ୍ନ ସ୍ବେଛାସେବୀ ସଂଗଠନର ମାର୍ଗଦର୍ଶନ କରୁଛନ୍ତି । କୋରାପୁଟ ଫାର୍ମର୍ସ ଆସୋସିଏସନର ଏସଏମଆଇ ପଦ୍ଧତିରେ ମନବରର ଚାଷୀ ଧାଡି ଧାଡି ଓ ଗଛ ଗଛ ମଧ୍ୟରେ 6 ଇଞ୍ଚ୍ ବ୍ୟବଧାନ ରଖି ଚାଷ କରି ଲାଭବାନ ହେଉଥିବା ମନବରର ଅନ୍ୟ ଜଣେ ଆଦିବାସୀ ଚାଷୀ ପୂର୍ବ ଗୌଡ଼ ଜଣାଇଛନ୍ତି ।
ଧାନରୁ ଚାଉଳ ବାହାର କରି ଭାତ ଓ ମାଣ୍ଡିଆରୁ ଜାଉ ପ୍ରସ୍ତୁତ କଲାଭଳି ସୁଆଁକୁ ଏକ ସ୍ୱତନ୍ତ୍ର ପ୍ରକ୍ରିୟାରେ ଚୋପା ଛଡାଇ ଉପମା ଓ ଭାତ ପ୍ରସ୍ତୁତ କରାଯାଇପାରୁଛି । ମାଣ୍ଡିଆ ଜାଉରେ ସୁଆଁକୁ ମିଶାଇ ଆଦିବାସୀ ପରିବାର ସେମାନଙ୍କ ଖାଦ୍ୟରେ ପୋଷକ ତତ୍ତ୍ବର ସନ୍ତୁଳନ ସୃଷ୍ଟି କରୁଥିବା କୋରାପୁଟ ବ୍ଲକ ଅନ୍ତର୍ଗତ ମନବରର ଆଦିବାସୀ ଚାଷୀ ବୁଦୁ ଜାନୀ କହିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଳା, ଧଳା, ଚିତ୍ରୀ ମୁଣ୍ଡି , ମାଛରି , ବଡ ଓ ରଙ୍ଗ ଭଳି ନଅ ପ୍ରକାରର ସୁଆଁର ଉତ୍ପାଦନ କରାଯାଉଥିଲେ ହେଁ ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ଏହାର ଉତ୍ପାଦନର ମାତ୍ରା ଉତ୍ସାହଜନକ ହୋଇପାରିନଥିବା ନେଇ ବୁଦୁ ଚିନ୍ତା ପ୍ରକଟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ... ପରବ ପଲ୍ଲିଶ୍ରୀ ମେଳାରେ ଲୋକଙ୍କ ପସନ୍ଦ କୋରାପୁଟ ମାଣ୍ଡିଆ ଓ କଫି
ତେବେ ବର୍ତ୍ତମାନ ବିଶ୍ୱର ବିଭିନ୍ନ ଅଞ୍ଚଳ ଭଳି କୋରାପୁଟ ଜିଲ୍ଲାରେ ମଧ୍ୟ ଅନିୟମିତତା ବୃଷ୍ଟିପାତ ଚାଷୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଜିଲ୍ଲାରେ ମୃତ୍ତିକାର ବିବିଧ ପ୍ରକାରଭେଦ ମଧ୍ୟରେ କେଉଁ ପ୍ରକାରର ସୁଆଁ ସର୍ବୋତ୍କୃଷ୍ଟ ଉତ୍ପାଦନ ଦେବା ସହ ପରିବର୍ତିତ ଜଳବାୟୁର ସ୍ଥିତିକୁ ମୁକାବିଲା କରିପାରିବ ତାହା ଜାଣିବା ପାଇଁ ମନବରଠାରେ ଅଧା ଏକର ଜାଗାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ପାଦିତ ହେଉଥିବା ସମସ୍ତ ନଅ ପ୍ରକାରର ସୁଆଁକୁ ଗୋଟିଏ ସ୍ଥାନରେ ଚାଷ କରି ତାର ସମସ୍ତ ଆବଶ୍ୟକତାର ଦିଗକୁ ପରୀକ୍ଷା କରାଯାଉଥିବା କେଏଫଏର ସମ୍ପାଦକ ଶରତ ପଟ୍ଟନାୟକ ଜଣାଇଛନ୍ତି । ଏଥି ନିମନ୍ତେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମୃତ୍ତିକା ଆଣି ଏହି ଅଧା ଏକର ଜାଗାରେ ପୁନଃସ୍ଥାପନ କରାଯାଇଛି ଏବଂ ଏହି ବିବିଧତା ମଧ୍ୟରେ ସୁଆଁର ଉତ୍ପାଦନର ମାନ ତଥା ମାତ୍ରାକୁ ନିରନ୍ତର ଭାବେ ପରୀକ୍ଷା ନିରୀକ୍ଷା କରାଯାଉଛି । ଏହି ପ୍ରାକୃତିକ ପରୀକ୍ଷାଗାରରେ ସର୍ବୋତ୍କୃଷ୍ଟ ପ୍ରମାଣିତ ବିହନ ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ସେହି ବିହନଗୁଡ଼ିକର ବହୁଳ ଉତ୍ପାଦନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କୋରାପୁଟ