କୋରାପୁଟ: ୩ଶହ ଜନ ଶିକ୍ଷଣ ସଂସ୍ଥା ମଧ୍ୟରୁ କେନ୍ଦ୍ର ସରକାରଙ୍କ ସ୍କିଲ୍ ହବ୍ ପ୍ରତିଷ୍ଠା ପ୍ରକ୍ରିୟାରେ ୫୦ଟି ଅନୁଷ୍ଠାନକୁ ଚୟନ କରାଯାଇଛି । ସେଥିମଧ୍ୟରେ କୋରାପୁଟରେ ଥିବା ଜେଏସଏସ ସଂସ୍ଥା ଏହି ଜାତୀୟ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ପାଇଛି । ଏହାକୁ ନେଇ ଅନୁଷ୍ଠାନର ନିର୍ଦ୍ଦେଶିକା ରଚେଲ ରଏ କୁମାରୀ ସୂଚନା ଦେଇଛନ୍ତି ।
ଏହି ସଂସ୍ଥାରେ ଆସନ୍ତା ୬ ମାସ ମଧ୍ୟରେ ୧୫ରୁ ୨୯ ବର୍ଷୀୟ ୬୦ ମହିଳା ତାଲିମ ନେବେ । ୩୦ ଜଣ ମହିଳା ବା କିଶୋରୀ ସିଲେଇ ତାଲିମ ନେବାକୁ ଥିବାବେଳେ ଆଉ ୩୦ ଜଣ ମହିଳା ବା କିଶୋରୀ ବିଉଟିସିଆନ ତାଲିମ ପାଇବେ ।
ଆଜି(ସୋମବାର) ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ସଂସ୍ଥାରେ ତାଲିମ ପାଇବା ପାଇଁ ଯୋଗ ଦେଇଥିବା କିଶୋରୀ ଓ ମହିଳାଙ୍କ ମଧ୍ୟରେ କିଛି ନୂଆ ଦକ୍ଷତା ହାସଲ କରିବା ନେଇ ଉତ୍ସାହ ଦେଖିବାକୁ ମିଳିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ