କୋରାପୁଟ: ଘର ଘର ବୁଲି ଲୁଗା ଇସ୍ତ୍ରୀ କରି ନନ୍ଦପୁରର ପୂର୍ଣ୍ଣଚନ୍ଦ୍ର ବେହେରା ଦୁଇ ସନ୍ତାନ ଓ ପତ୍ନୀଙ୍କୁ ନେଇ ଗଢି ଉଠିଥିବା ଟିକି ସଂସାରକୁ କୌଣସି ମତେ ଚଳାଇ ନେଉଥିଲେ । କିନ୍ତୁ ଦୁଇମାସ ପୂର୍ବେ ହଠାତ ତାଙ୍କ ମୁଣ୍ଡରେ ଚଡକ ପଡିଲା ଭଳି ପେଟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଲା । ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହେଲେ । କିନ୍ତୁ ତାଙ୍କ କିଡନୀ ଓ ଲିଭର ରେ ସମସ୍ୟା ଥିବା ଯୋଗୁଁ କୋରାପୁଟରେ ଚିକିତ୍ସା ସମ୍ଭବ ନୁହେଁ ବୋଲି ଡାକ୍ତର ମାନେ ଜଣାଇ ତୁରନ୍ତ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଲେ ।
ତେବେ ଗରିବ ମଣିଷ ପାଇଁ ନିଜ ଖର୍ଚରେ ବ୍ରହ୍ମପୁର ଯାଇ ଚିକିତ୍ସିତ ହେବା ଏକ ପ୍ରକାର ଅସମ୍ଭବ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଚିକିତ୍ସା ପାଈଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତାକୁ ଅନୁଭବ କରି ଘରକୁ ଫେରିଆସିଥିଲେ ପୂର୍ଣ୍ଣ । ତେବେ ଲମତାପୁଟରେ ଥିବା ଆଶାକିରଣ ହସ୍ପିଟାଲରେ ତାଙ୍କ ପେଟରେ ଜମା ହୋଇଥିବା କିଛି ପାଣିକୁ ବାହାର କରିବା ପରେ ଟିକେ ଆସ୍ୱସ୍ତି ଅନୁଭବ କରିଥିଲେହେଁ ଚିକିତ୍ସା ସେହିଠାରେ ସରିଲା ନାହିଁ । ଅର୍ଥ ବାଧକ ସାଜିଲା । ଘରର ସବୁକିଛି ବନ୍ଧକ ପକାଇବା ପରେ ଆଉ କିଛି ଉପାୟ ନ ପାଇ ପତ୍ନୀ ଶାନ୍ତି ପରିବାର ଚଳାଇବାର ଦାୟିତ୍ୱ ମୁଣ୍ଡାଇବା ପାଇଁ ଅଣ୍ଟା ଭିଡ଼ିଲେ । ସ୍ୱାମୀ ପୂର୍ଣ୍ଣ ଙ୍କ ଭଳି ଘର ଘର ବୁଲି ଲୁଗା ଇସ୍ତ୍ରୀ କରି କିଛି ଉପାର୍ଜନ କରିବାକୁ ଆରମ୍ଭ କରିଛନ୍ତି ।
କିନ୍ତୁ ଦିନକୁ ଦିନ ପୂର୍ଣ୍ଣ ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଆସୁଥିବା ଯୋଗୁଁ ଶାନ୍ତିଙ୍କ ଚିନ୍ତା ବଢ଼ିବାରେ ଲାଗିଲା । ତେବେ ତାଙ୍କର ଏହି ଦୁଃଖକୁ ଦୂର କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଆଗେଇଆସିଛି । ବ୍ରହ୍ମପୁର ଯାଇ ଚିକିତ୍ସିତ ହେବା ପାଇଁ ଆମ୍ବୁଲାନ୍ସ ଯୋଗାଡ଼ କରିବା ସହ ତତକ୍ଷଣାତ ରେଡ଼କ୍ରସ ପାଣ୍ଠିରୁ 20 ହଜାର ଟଙ୍କାର ସହାୟତା ଦେବାପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଅର୍ଥ ମଞ୍ଜୁର କରିଛନ୍ତି । ଏଥିସହ ବ୍ରହ୍ମପୁରରେ ବିନା ଖର୍ଚରେ ଚିକିତ୍ସା ଯୋଗାଇଦେବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ