କୋରାପୁଟ : କୋରାପୁଟ ସହରରେ ବିଏସଏଫ ଆନୁକୁଲ୍ୟରେ ଏକ ବିଶାଳ ଗଣ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରୁ ବାହାରି ପ୍ରତିଯୋଗୀ ତିନି କିଲୋମିଟର ଓ ଦଶ କିଲୋମିଟର ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
କୋରାପୁଟବାସୀଙ୍କ ମଧ୍ୟରେ ଦେଶପ୍ରେମ ପ୍ରତି ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ କୋରାପୁଟର ବିଭିନ୍ନ ରାସ୍ତା ଦେଇ ପୁଣିଥରେ ମହିଳା ମହାବିଦ୍ୟାଳୟ ପରିସରକୁ ଫେରି ଆସିଥିଲେ । ଦଶ କିଲୋମିଟର ଦୌଡ଼ ପ୍ରତିଯୋଗିତାରେ ଭୁବନେଶ୍ବରରୁ ଆସିଥିବା ଦୁଇଜଣ ଯୁବକ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସେମିଳିଗୁଡାର ଯୁବକ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ।
ତିନି କିଲୋମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ତିନି କିଲୋମିଟର ଦୌଡରେ ତିନି ବର୍ଷର ଚାରି ଜଣ ଶିଶୁ ଅଂଶ ଗ୍ରହଣ ମଧ୍ୟ କରିଥିଲେ । ସେଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଛି । ଆଜିର ପ୍ରତିଯୋଗିତାରେ ଅଭିଜ୍ଞ କ୍ରୀଡାବିତଙ୍କ ସହିତ ପ୍ରଥମ ଥର ପାଇଁ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସାମୁହିକ ଦୌଡ଼ ର ଆନନ୍ଦକୁ ସାଉଁଟି ନେଉଥିବା ଯୁବପିଢିଙ୍କୁ ଦେଖିବାକୁ ମିଳିଥିଲା ।
କୋରାପୁଟ, ଇଟିଭି ଭାରତ