କୋରାପୁଟ: ‘ଚରଖା’ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ବାରା ସ୍ବାଧୀନତା ସଂଗ୍ରାମରେ ବ୍ୟବହୃତ ଅମୋଘ ଅସ୍ତ୍ର । ସ୍ବାଧୀନତା ଓ ସ୍ବାବଲମ୍ବତାର ଏକ ପ୍ରତୀକ ଏହି ‘ଚରଖା’ । ଜାତିର ପିତାଙ୍କ ‘କୂଟି ଖାଅ କାଟି ପିନ୍ଧ’ ନୀତି ସେ ସମୟରେ ପୂର ପଲ୍ଲୀର ଅନେକ ସ୍ବାଧୀନତା ସଂଗ୍ରାମୀଙ୍କୁ ଯୋଗାଇଥିଲା ସାହସ ଓ ପ୍ରୋତ୍ସାହନ । ହେଲେ ସ୍ବାଧୀନତାର 72 ବର୍ଷ ପରେ ବି କମିନି ଚରଖାର ଚମକ ।
ଆଜି ବି ସ୍ବାଧୀନତାର ବାର୍ତ୍ତା ବହନ କରିବା ସହ ଅନେକଙ୍କୁ ସ୍ବାବଲମ୍ବୀ ହେବାର ଖୋରାକ ଯୋଗାଏ ଏହି ଚରଖା । ୟାହାକୁ ଦେଶର ଆଗାମୀ ଭବିଷ୍ୟତ ପାଖରେ ପହଞ୍ଚାଇବାର ଉଦ୍ୟମ ଚଳାଇଛି ସ୍ଥାନୀୟ ସର୍ବୋଦୟ ସମିତି । ହୁଏ ତ ପୁରୁଣା ଚରଖା ବଦଳରେ ଆଧୁନିକ ଚରଖାର ବ୍ୟବହାର କରି ଛାତ୍ରୀମାନଙ୍କୁ ସୂତା କାଟିବା ଶିଖାଉଛନ୍ତି ସର୍ବୋଦୟ ସମିତିର ତାଲିମଦାତା । ହେଲେ ଏବେ ବି ଆଧୁନିକ ଚରଖାର ବ୍ୟବହାର ସମୟରେ ମନେ ପଡନ୍ତି ବାପୁଜୀ, ସ୍ବାଧୀନତା ସଂଗ୍ରାମ ଓ ଅଗଣିତ ସ୍ବାଧୀନତା ସଂଗ୍ରାମୀ ।
ତେବେ ଗାନ୍ଧୀଜୀ ବ୍ୟବହାର କରୁଥିବା ପାରମ୍ପାରିକ ଚରଖା ହେଉ ବା ବର୍ତ୍ତମାନ ବ୍ୟବହାର ହେଉଥିବା ଲୁହାର ଆଧୁନିକ ଚରଖା, ସବୁଥିରେ ଭବିଷ୍ୟତ ପୀଢି ପାଇଁ ବହନ ହୋଇଛି ସ୍ବାଧୀନତାର ବାର୍ତ୍ତା । ଯାହା କୁହନ୍ତି ଅନୁଷ୍ଠାନରେ କାର୍ଯ୍ୟରତ ତାଲିମଦାତା ।
ତେଣେ ଆଜିର ପିଲାଙ୍କ ମଧ୍ୟରେ ଚରଖାରେ ସୂତା କାଟିବାର ଅନୁଭୂତି ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ସ୍ବାବଲମ୍ବୀ ହେବାର ପ୍ରୋତ୍ସାହନ ଯୋଗାଇବ ବୋଲି ଜଣାଇଛନ୍ତି ସର୍ବୋଦୟ ସମିତି ସମ୍ପାଦକ ପ୍ରଦୀପ ମହାନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ