କୋରାପୁଟ: ଶ୍ରୀଜୀଉଙ୍କ ସେବାରେ ଆଦିବାସୀ ପୂଜକ । ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି । ଗତକାଲି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସେବକମାନେ ଢାଳିଥିବା ଶ୍ରଦ୍ଧାର ଜଳକୁ ମନା କରିନପାରି ମହାପ୍ରଭୁ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଅତ୍ୟଧିକ ସ୍ନାନ କରିବା ଯୋଗୁଁ ତିନିଠାକୁର ଜ୍ବରରେ ପଡିଛନ୍ତି ।
ଗତକାଲି ରାତିଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି । ପୂର୍ବ ପୁରୁଷଠାରୁ ପରମ୍ପରାରେ ପାଇଥିବା ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫଳ,ଫୁଲ,ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଛନ୍ତି । ଆସନ୍ତା ପନ୍ଦର ଦିନ ତିନି ଠାକୁର ଅଣସରରେ ରହୁଥିବା ଯୋଗୁଁ ମନ୍ଦିରର ପ୍ରବେଶ ଦ୍ବାର ନିକଟରେ ପଟିଦିଅଁଙ୍କୁ ପୂଜା କରାଯାଉଛି ବୋଲି ମନ୍ଦିରର ପୂଜକ ସୂଚନା ପ୍ରଦାନ କରିଛନ୍ତି ।
ତେବେ କୋଭିଡ ଗାଇଡଲାଇନକୁ ପାଳନ କରି ପୂର୍ବରୁ ମୁଖ୍ୟ ଦ୍ବାରରେ ତାଲା ଝୁଲୁଥିବା ବେଳେ ବର୍ତମାନ କେବଳ ଆଦିବାସୀ ପୂଜକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ସେବକଙ୍କ ପାଇଁ ମଧ୍ୟ ମୁଖ୍ୟ ମନ୍ଦିରର ଦ୍ବାରରେ ଆସନ୍ତା 15 ଦିନ ପାଇଁ ପ୍ରବେଶ ବନ୍ଦ କରାଯାଇଛି । ଠାକୁରଙ୍କ ଅଣସରର ପରମ୍ପରା ଅନୁଯାୟୀ ଦ୍ଵିତୀୟ ତାଲା ଝୁଲାଇଦେଇଛନ୍ତି ।
କୋରାପୁଟରୁ ସି ଏଚ ଶାନ୍ତାକାର,ଇଟିଭି ଭାରତ