କୋରାପୁଟ: ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିର୍ବାଚନର ଭୋଟ ଗଣତିରେ ଅନିୟମିତତା ଅଭିଯୋଗ ମାମଲା । ଏହାକୁ ନେଇ କଂଗ୍ରେସର ପରାଜିତ ପ୍ରାର୍ଥୀ କୈଳାଶ କୁଲେସିକା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଶୁକ୍ରବାର କୋରାପୁଟର ଷ୍ଟ୍ରଙ୍ଗରୁମ ଖୋଲାଯାଇ ନିର୍ବାଚନ ସମୟର ଆବଶ୍ୟକୀୟ କାଗଜପତ୍ର ଏକତ୍ରିତ କରାଯାଇଛି ।
ଶୁକ୍ରବାର ଅଭିଯୋଗକାରୀ ତଥା ଅନ୍ୟ ସମସ୍ତ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ ଖୋଲାଯାଇ କାଗଜପତ୍ର ଗୁଡିକୁ ହାଇକୋର୍ଟକୁ ପଠାଯିବ ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି । ଗତ ସାଧାରଣ ନିର୍ବାଚନ 2019ରେ ଗଣତିରେ ଅନିୟମିତତା ତଥା ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀ ଅନୁସୂଚିତ ଜାତିର ହୋଇଥିବା ବେଳେ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ସ୍ଥାନରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇଥିଲା ।
ଏହି ଅନିୟମିତତାକୁ ନେଇ ପୂର୍ବତନ କଂଗ୍ରେସ ବିଧାୟକ କୈଳାଶ କୁଲେସିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଷ୍ଟ୍ରଙ୍ଗରୁମ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାପରେ ଅଭିଯୋଗକାରୀ କୁଲେସିକା ସତ୍ୟ ଉନ୍ମୋଚିତ ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ।
କୋରାପୁଟରୁ ସି.ଏଚ.ଶାନ୍ତାକାର, ଇଟିଭି ଭାରତ