କୋରାପୁଟ: ଅତୀତର ଇନ୍ଦିରା ଆବାସ ଠାରୁ ଆରମ୍ଭ କରି ଆଜିର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ହଜାର ହଜାର ନିରାଶ୍ରୟ ଗରିବ ପରିବାର ବର୍ଷ ବର୍ଷ ଧରି ଅପେକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 8 ଲକ୍ଷ 17 ହଜାର 4 ଶହ 44 ପକ୍କାଘର ଓଡିଶାକୁ ମିଳିଛି । ଆବାସ ଯୋଜନାରେ ମିଳିଥିବା ଏହି ଘର ୟସ୍ ବାତ୍ୟାରେ ପ୍ରଭାବିତ ଜିଲ୍ଲାଗୁଡିକୁ ବଣ୍ଟନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଅନ୍ୟପଟେ ଆବାସ ଯୋଜନାରେ ଦକ୍ଷିଣ ଓଡିଶାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ସଦ୍ୟ ପ୍ରକାଶିତ ତାଲିକାରେ କୋରାପୁଟ ଜିଲ୍ଲା ପାଇଁ ଗୋଟିଏ ବି ଘର ଦେବା ପାଇଁ ଯୋଜନା ନଥିବା ନେଇ ଘୋର ଅସନ୍ତୋଷ ଦେଖାଦେଇଛି । ତେବେ କୋରାପୁଟ ବ୍ଲକର ଖଗଦରା ଗାଁରେ ଅଛନ୍ତି ମୋଟ 24 ଟି ପରିବାର । ଆଠ ବର୍ଷ ପୂର୍ବେ ଦୁଇଜଣଙ୍କୁ 35 ହଜାର ଟଙ୍କାରେ ତିଆରି ହେଉଥିବା ଇନ୍ଦିରା ଆବାସ ଘର ମିଳିଥିବା ଗାଁର ଜଣେ ବାସିନ୍ଦା ଜଣାଇଛନ୍ତି । ତେବେ ତାହାବି ଭାଙ୍ଗିରୁଜି ଯିବା ଅବସ୍ଥାରେ ପହଞ୍ଚିଥିବା ବେଳେ ଗାଁରେ ପ୍ରାୟ ଘର ଭୁଶୁଡ଼ିବା ଅବସ୍ଥାରେ ରହିଲାଣି ।
ସେପଟେ ଦୁର୍ଲଭ ଟାକିରି ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ କୁଡିଆ ଘରଟି ସମ୍ପୂର୍ଣ୍ଣ ରୂପେ ଭୁଶୁଡିବାକୁ ବସିଲାଣି । ସେ ଅନେକବାର ଆବାସ ଯୋଜନାରେ ଘରଟିଏ ପାଇଁ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି । ଏହାସହ ତାଙ୍କ ଘରର ଫଟୋ ଉଠାଇ ଅଧିକାରୀମାନେ ଘରଟିଏ ଦେବାର ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଗାଁର ୱାର୍ଡ ମେମ୍ବର ଆବାସ ଯୋଜନାରେ ଘର ଦେବାର ଆବଶ୍ୟକତା ଉପରେ ପଞ୍ଚାୟତର ପ୍ରତ୍ୟେକ ବୈଠକରେ ଦାବି ଉପସ୍ଥାପନ କରୁଥିଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ।
ତେବେ ବର୍ତ୍ତମାନର ଆବାସ ପ୍ଲସ ଯୋଜନା ଗତ ଜନଗଣନା ଉପରେ ଆଧାରିତ ହୋଇଥିବା ଯୋଗୁଁ ନୂତନ ଭାବେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆସନ୍ତା ଜନଗଣନାରେ ପ୍ରସ୍ତୁତ ହୋଇ ସମସ୍ତଙ୍କୁ ଘର ଯୋଗାଇ ଦିଆଯାଇପାରିବ ବୋଲି ଆଶ୍ଵାସନା ଦେଇଛନ୍ତି ଖୋଦ ଜିଲ୍ଲାପାଳ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ