କୋରାପୁଟ: ଦିଲ୍ଲୀ ଦରବାରରେ ଜିଲ୍ଲା ପାଇଁ ଗୌରବ ଆଣିଲେ ଶାନ୍ତନୁ ହୋୟାଲ । ଜଣେ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସେ ଦିଲ୍ଲୀ ଯାଇ ହାତଧୁଆକୁ ନେଇ ସଚେତନତା କରିଛନ୍ତି । ଯାହା ଅନ୍ୟମାନଙ୍କ ମଧ୍ୟରେ ପ୍ରେରଣା ଭରି ଦେଇଛି । ମନୋବଳ ସୁଦୃଢ଼ ଥିଲେ କେହି କିଛି ବି କରିପାରେ । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି କୋରାପୁଟ ସ୍ଥିତ ଦୃଷ୍ଟି ବାଧିତ ପିଲାଙ୍କ ପାଇଁ ପ୍ରତିଷ୍ଠିତ ବିଦ୍ୟାଳୟ 'ଦୃଷ୍ଟି'ର ଛାତ୍ର ଶାନ୍ତନୁ ହୋୟାଲ । ଦିଲ୍ଲୀ ଦରବାରରେ ହାତ ଧୁଆର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରି ପ୍ରଶଂସା ସାଉଁଟିଛନ୍ତି ଶାନ୍ତନୁ । ଏନେଇ 'ସେଭ ଦ ଚିଲଡ୍ରେନ ସଙ୍ଗଠନ'ର ପ୍ରକଳ୍ପ ସଂଯୋଜକ ବିଦ୍ୟାଧର ମେହେର ସୂଚନା ଦେଇଛନ୍ତି ।
ଗତ କିଛି ମାସ ପୂର୍ବେ ସେଭ ଦ ଚିଲଡ୍ରେନ ଦ୍ୱାରା ଦୃଷ୍ଟିବାଧିତ ପିଲାଙ୍କ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହାତ ଧୁଆର ଆବଶ୍ୟକତା ଓ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନରେ ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ର ଶାନ୍ତନୁ ହୋୟାଲ । ଏହି ସଂସ୍ଥା ଦ୍ୱାରା ଏକ ପ୍ରମୁଖ ଚାଇଲ୍ଡ ଏଡୁକେଟର ଭାବେ ହାତ ଧୁଆର ଦଶଟି ସୋପାନ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରି ତାହାକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଶାନ୍ତନୁଙ୍କ ଏହି ପାରଦର୍ଶିତାକୁ ଦେଖି ଦିଲ୍ଲୀରେ ସେଭ ଦ ଚିଲଡ୍ରେନ ଦ୍ୱାରା ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ସଭାରେ ହାତଧୁଆ ସମ୍ପର୍କରେ ଆଲୋଚନା କରିବାକୁ ସୁଯୋଗ ମିଳିଥିଲା । ଗୁରୁବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ହାତଧୁଆ ମାଧ୍ୟମରେ ସ୍ଵଚ୍ଛ ଓ ସୁସ୍ଥ ଜୀବନ ଧାରଣ କରିବା ଦିଗରେ ସଚେତନତା ସୃଷ୍ଟି କରିଛନ୍ତି । ଦିଲ୍ଲୀ ମଞ୍ଚରେ ଓଡ଼ିଆରେ ନିଜ ବକ୍ତବ୍ୟକୁ ଉପସ୍ଥାପନ କରିବା ସହ ହାତଧୁଆର ଦଶଟି ପାହାଚକୁ ଗୀତ ଓ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି ଶାନ୍ତନୁ ।
ଶାନ୍ତନୁଙ୍କ ପ୍ରଦର୍ଶନ ଏତେ ଆକର୍ଷଣୀୟ ଥିଲା ଯେ ଓଡ଼ିଆରୁ ହିନ୍ଦୀରେ ଆଉ ଅନୁବାଦ କରିବାକୁ ପଡିନଥିଲା ବୋଲି ଶାନ୍ତନୁଙ୍କ ସହ ଅନୁବାଦକ ଭାବେ ଦିଲ୍ଲୀ ଗସ୍ତ କରିଥିବା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକ କହିଛନ୍ତି । ଦୃଷ୍ଟିବାଧିତ ଛାତ୍ର ହୋଇ ମଧ୍ୟ ଶାନ୍ତନୁଙ୍କ ଉତ୍ତମ ପ୍ରଦର୍ଶନକୁ ଭୁରିଭୁରି ପ୍ରଶଂସା କରାଯାଇଥିଲା । ଆଜି ଦିଲ୍ଲୀରୁ କୋରାପୁଟ ଅଭିମୁଖେ ବିମାନ ଯୋଗେ ଯାତ୍ରା ଆରମ୍ଭ କରିଥିବା ଶାନ୍ତନୁ ବିଦ୍ୟାଳୟକୁ ଫେରିବା ପରେ ତାଙ୍କ ଅପୂର୍ବ ଅନୁଭୂତିକୁ ଶୁଣିବା ପାଇଁ ଉତ୍ସାହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ରହିଥିଲେ ।
ଇଟିଭି ଭାରତ, କୋରାପୁଟ