କୋରାପୁଟ: କୋରୋନା ମହାମାରୀ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ରଖିଛି । ଦିନକୁ ଦିନ ରାଜ୍ୟରେ ମଧ୍ୟ ସାଙ୍ଘାତିକ ହେଉଛି ସଂକ୍ରମଣ ମାମଲା । ଛିଙ୍କ, ଛେପ ଓ ଖଙ୍କାର ମାଧ୍ୟମରେ ବ୍ୟାପୁଛି ଏହି ଭୟଙ୍କର ଭାଇରସ । ଯାହାକୁ ନେଇ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣେତେଣେ ଛେପ, ଖଙ୍କରା ଆଦି ପକାଇବାକୁ ନିଷେଧ ଘୋଷଣା କରିଛନ୍ତି । ହେଲେ କୋରାପୁଟ ସହରକୁ ଦେଖିଲେ ଲାଗୁଛି ଏହା ଆଉ ଅଳ୍ପ ଦିନ ମଧ୍ୟରେ କୋରୋନା ସଂକ୍ରମଣର ହବ ପାଲଟିବ ।
ସମଗ୍ର ରାଜ୍ୟରେ ଏବେ ହୁ ହୁ ହୋଇ ବଢୁଛି ଆକ୍ରାନ୍ତ ସଂଖ୍ୟା । ଏପରି ସ୍ଥଳେ ଲୋକଙ୍କୁ ଘରେ ରହିବା ସହ ସ୍ବଚ୍ଛ ଓ ପରିଷ୍କାର ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏପରିକି ବାରମ୍ବାର ମାସ୍କ ପିନ୍ଧିବା ସହ ହାତ ଧୋଇବା ଓ ଏତେତେଣେ ଛେପ, ଖଙ୍କାର ନ ପକାଇବାକୁ ସଚେତନତା କରାଯାଉଛି । କିନ୍ତୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଚିକିତ୍ସାଳୟକୁ ଦେଖିଲେ ଲୋକଙ୍କ ରୁଗ୍ନ ମାନସିକତା ଓ ପ୍ରଶାସନର ସ୍ଥାଣୁତାକୁ ସ୍ପଷ୍ଟ କରୁଛି ।
ମେଡିକାଲର ଭିତର ହେଉ କି ବାହାର । ଦ୍ବାରଦେଶରୁ ଉପର ମହଲାର ପାହାଚ, କବାଟ କୋଣ ସବୁଠି ମେନ୍ଦା ମେନ୍ଦା ଛେପ ସାଙ୍ଗକୁ ପାନ ଛେପର ଲେପ । ହସ୍ପିଟାଲ ସାମ୍ନା ରୋଗୀ ସମ୍ପର୍କୀୟଙ୍କ ଉଠାବସା ସ୍ଥାନ ମଧ୍ୟ ଏସବୁରୁ ମୁକ୍ତି ହୋଇପାରିନାହିଁ । ସହରର ବସଷ୍ଟାଣ୍ଡ ଛକ, ପାନ ଦୋକାନ ସବୁଠି କୋଭିଡ ନିୟମକୁ ଉଲ୍ଲଙ୍ଘନ କରାଯାଉଛି ।
ସେପଟେ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଉଛି । ହେଲେ ଏଥିପାଇଁ ନିଜକୁ ସଜାଗ ଓ ସତର୍କ ହେବାକୁ ପଡିବ ବୋଲି କେତେକ ବୁଦ୍ଧିଜୀବୀ ଓ ଆଇନଜୀବୀମତ ଦେଇଛନ୍ତି । ନିଜକୁ ଓ ନିଜ ପରିବାରକୁ ଏହି ସଂକ୍ରମିତ ରୋଗ ଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ସହ ଛେପ,ଖଙ୍କାର ନ ପକାଇବାକୁ କହିଛନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ କୋରୋନା ଲୋକେ ପାନ,ଗୁଡଖା ଆଦି ଖାଇବା କମ କରିଦେଇଥିବା ପାନ ଦୋକାନୀ ସଫେଇ ଦେଇଛନ୍ତି ।
ରାଜ୍ୟରେ କୋରୋନା ସଂକ୍ରମିତ ମାମଲା ସାଙ୍ଘାତିକ ଭାବେ ବୃଦ୍ଧି ପାଉଛି । କୋରାପୁଟ ଜିଲ୍ଲାରେ ମଧ୍ୟ ସ୍ଥିତି ସଙ୍ଘୀନ ହେବାରେ ଲାଗିଛି । ତେଣୁ ଯେ ପର୍ଯ୍ୟନ୍ତ ଭାଇରସ ବିରୋଧ ଟିକା କିମ୍ବା ଔଷଧ ଆସିନାହିଁ, ସେ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ସହ ଛେପ, ଖଙ୍କାର ବାହାରେ ନ ପକାଇବାକୁ ହେବ ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ