କୋରାପୁଟ: କୋରାପୁଟର ଆଞ୍ଚଳିକ ଚିତ୍ରକଳା, କେନ୍ଦ୍ର କଳାକାରଙ୍କ ପାଇଁ ଅପୂର୍ବ ସୁଯୋଗ ପ୍ରଦାନ କରୁଛି ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । ଗତ କିଛିଦିନ ପୂର୍ବେ କୋରାପୁଟ ଜିଲ୍ଲା ସଂସ୍କୃତି ଭବନ ନିକଟରେ ଓଡିଶା ଲଲିତ କଳା ଏକାଡେମୀ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ୩୪ ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଆର୍ଟ ଗ୍ୟାଲେରୀ କଳା କେନ୍ଦ୍ରରେ ସ୍ଥାନୀୟ ଓ ରାଜ୍ୟର ୨୭ଟିରୁ ଊର୍ଦ୍ଧ୍ବ ଚିତ୍ରକଳା ସ୍ଥାନିତ ହୋଇଛି ।
ପର୍ଯ୍ୟାୟ କ୍ରମେ ଅଧିକା ଚିତ୍ରକଳା ସ୍ଥାନିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କଳା ଓ ସଂସ୍କୃତିରେ ଭରପୁର କୋରାପୁଟ ସମେତ ଅବିଭକ୍ତ ଜିଲ୍ଲାର ସଉରା, ଲାଞ୍ଜିଆ ସୌରା, ଗାଦବା, ଡଙ୍ଗରିଆ, ବଣ୍ଡା ଜନଜାତି ଭଳି ୫୪ଟି କଳା ସଂସ୍କୃତି ଓ ବିଭବର ପରିପ୍ରକାଶ ହୋଇପାରିବ । ଦେଶ ଓ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଅନେକ କିଛି ଜାଣିବାର ସୁଯୋଗ ପାଇପାରିବେ । ଆଞ୍ଚଳିକ କଳା ସଂସ୍କୃତିର ବିକାଶ ସହ କଳାକାରଙ୍କ ପ୍ରତିଭାର ବିକାଶ ସକାଶେ ଏହି ଚିତ୍ରକଳା କେନ୍ଦ୍ର ବେଶ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଆଶାପ୍ରକଟ କରିଛନ୍ତି ।
କୋରାପୁଟ ଜିଲ୍ଲାର ସ୍ଥାନୀୟ ଚିତ୍ରକାରମାନେ ସେମାନଙ୍କ ଚିତ୍ରକଳା ସମ୍ପୂର୍ଣ୍ଣ ମାଗଣାରେ ଏଠାରେ ପ୍ରଦର୍ଶନୀ କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି କଳାକେନ୍ଦ୍ରରେ ଆୟୋଜିତ ଆଦିବାସୀ ମହିଳାଙ୍କ ଚିତ୍ରକଳା ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ମହିଳା କଳାକାରଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ମଧ୍ୟରେ ଥିବା କଳାତ୍ମକ ସମ୍ଭାବନାକୁ ଗୁରୁତ୍ଵ ଦେଇ କିପରି ସେମାନେ ଆଗକୁ ବଢ଼ିବେ ସେଦିଗରେ ଏହି କଳାକେନ୍ଦ୍ର ମାଧ୍ୟମରେ ପ୍ରୟାସ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ