କୋରାପୁଟ: କୋରାପୁଟ ଲୋକ ମହୋତ୍ସବ 'ପରବ'କୁ ଦିଆଗଲା କୋଣାର୍କ ମହୋତ୍ସବ ଭଳି ଜାତୀୟସ୍ତରର ମାନ୍ୟତା । ଏ ନେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାର ପ୍ରଥମ ଥର ପାଇଁ ଇକୋରିଟ୍ରିଟ ଆୟୋଜନ ହେବ ବୋଲି ସେ କହିଛନ୍ତି।
ଚଳିତ ବର୍ଷରୁ କୋରାପୁଟ 'ପରବ'କୁ କୋଣାର୍କ ମହୋତ୍ସବ ଭଳି ରାଜ୍ୟ ସରକାର ଜାତୀୟସ୍ତରର ଉତ୍ସବର ମାନ୍ୟତା ଦେଇଛନ୍ତି । ବର୍ତମାନ ଠାରୁ ପରବକୁ ରାଜ୍ୟସ୍ତରର ଉତ୍ସଵ ଭାବେ ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯିବ ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଥାଉକି ମାଲକାନଗିରିରେ ଆୟୋଜିତ ମେଘ ଉତ୍ସବରେ ଯୋଗଦେଇ ଭୁବନେଶ୍ବର ଫେରିବା ସମୟରେ କୋରାପୁଟରେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରହୀ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ ପାଇଁ ଥିବା ସମ୍ଭାବନା ସମ୍ପର୍କରେ ଚର୍ଚ୍ଚା କରିଥିଲେ । ଦେଓମାଳିର ସୌନ୍ଦର୍ଯ୍ୟ ଓ ବିଭବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏଠାରେ ପର୍ଯ୍ୟଟନର ଭରପୂର ସୁଯୋଗ ରହିଥିବାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆୟୋଜନ ହେବ ଇକୋରିଟ୍ରିଟ । ଦେଓମାଳି ପର୍ବତର ଏକ ଅଂଶ ଭାବେ ରହିଥିବା ପୁଟସିଲରେ ଚଳିତ ବର୍ଷ ଇକୋ ରିଟ୍ରିଟର ଆୟୋଜନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଯାହା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ