କୋରାପୁଟ: ଆନ୍ତର୍ଜାତିକ ବଜାରରେ ପହଞ୍ଚିବ କୋରାପୁଟର ମହୁ । କୋରାପୁଟରେ ପାଳିତ ହୋଇଛି ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ୩୭ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭାରେ କୋରାପୁଟ ଜିଲ୍ଲାର କୃଷକ ଉତ୍ପାଦକ ଗୋଷ୍ଠୀ ଏବଂ ଅଗ୍ରଣୀ କୃଷକମାନଙ୍କ ପାଇଁ ମହୁ ରପ୍ତାନୀଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଜାରରେ ମହୁର ଚାହିଦା ରହିଥିବାରୁ ଉନ୍ନତମାନର ମହୁ ରପ୍ତାନି କରିବା ପାଇଁ ଆଗଇ ଆସିଛନ୍ତି କୋରାପୁଟ ମହୁ ଚାଷୀ ।
ତେବେ ଏହି କାର୍ଯ୍ୟକ୍ରମରେ କୋରାପୁଟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି, ଆପେଡାର ଶ୍ରୀ ସାହା, ନାବାର୍ଡର ଜିଲ୍ଲା ମହା ପ୍ରବନ୍ଧକ ମୁରାରୀ ମୋହନ ବେହେରା ,ଆଦିବାସୀ ବିକାଶ ସମବାୟ ସମିତିର ଜିଲ୍ଲା ପରିଚାଳକ ସୁରେଶ ଚନ୍ଦ୍ର ମଲ୍ଲିକ ସାମିଲ ଥିଲେ। ଏହାସହ ଓରମାସର କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋଶନ କୁମାର କାର୍ତ୍ତିକ, ସର୍ବୋଦୟ ସମିତିର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ମହାନ୍ତି ପ୍ରମୁଖଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କୋରାପୁଟ ଜିଲ୍ଲାରେ ମହୁଚାଷ ଓ ତାର ଗୁଣାତ୍ମକ ମାନ ବୃଦ୍ଧି ସହ ରପ୍ତାନିର ସମ୍ଭାବନା ବିଷୟରେ ଆଲୋଚନା ହୋଇଥିଲା । ଏହାଦ୍ବାରା କୋରାପୁଟର କୃଷକଙ୍କର ମହୁ ଯଦି ଅନ୍ୟ ଦେଶକୁ ରପ୍ତାନି ହୁଏ ତେବେ କୃଷକମାନେ ନିଶ୍ଚିତ ଭାବରେ ଉପକୃତ ହେବେ ଏବଂ ସେମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ନାବାର୍ଡ ସହାୟତାରେ ବର୍ତ୍ତମାନ କୋରାପୁଟ ଜିଲ୍ଲାର 5ଟି ବ୍ଲକ୍ରେ 500 ଚାଷୀ ମହୁ ଉତ୍ପାଦନ କରୁଛନ୍ତି । ପ୍ରତ୍ୟେକେ ମହୁ ଚାଷୀ 10ଟି ଲେଖାଏଁ ମହୁ ବାକ୍ସ ରଖି ଗତ ବର୍ଷ 2400 କେଜି ମହୁ ଉତ୍ପାଦନ କରି ଦେଶର ବିଭିନ୍ନ ବଜାରରେ ବିକ୍ରି କରିପାରିଥିବା କହିଛନ୍ତି ମହୁ ଚାଷୀ । ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ ଆଗାମୀ ଦିନରେ ମହୁଚାଷକୁ ବ୍ୟାପକ କରିବା ସହ କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ବିକ୍ରିବଟା ଓ ରପ୍ତାନି ପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ମନ୍ତବ୍ୟ ଦେଇଛନ୍ତି । ତେବେ ବିଗତ ଦିନଗୁଡିକରେ କୋରାପୁଟ ଜିଲ୍ଲା ମହୁ ଚାଷ ପାଇଁ ଖ୍ୟାତି ଅର୍ଜନ କରିଛି । ବର୍ତ୍ତମାନ ପ୍ରାକୃତିକ ଜଙ୍ଗଲର ପରିମାଣ କମିଥିବା ଯୋଗୁଁ ମହୁ ମାଛିଙ୍କ ପାଇଁ ମଧୁ ସଂଗ୍ରହ କରିବା କଷ୍ଟକର ବ୍ୟାପାର ରହିଛି । କୋରାପୁଟ ଅଞ୍ଚଳରେ ମହୁଚାଷକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ସ୍ବେଚ୍ଛାସେବୀ ସଂଗଠନ ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି କହିଛନ୍ତି ।
ଇଟିଭି ଭାରତ, କୋରାପୁଟ