କୋରାପୁଟ: ଚଳିତ ବର୍ଷ ଠାରୁ ଜିଲ୍ଲାର କିଛି ମଣ୍ଡିରୁ ଧାନ କିଣିବା ପାଇଁ ସରକାର ମହିଳା ସ୍ବୟଂ ସହାୟକ ଦଳ ଗୁଡିକୁ ଦାୟିତ୍ବ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଏବେ ତାହା ଉପରେ ପୁନର୍ବିଚାର କରିବା ପାଇଁ ଚାଷୀ ଦାବି କରିଛନ୍ତି ।
ସୋମବାର ବୈପାରିଗୁଡା ବ୍ଲକର ଶତାଧିକ ଚାଷୀ କୋରାପୁଟ ଜିଲ୍ଲାପାଳଙ୍କୁ ଏ ନେଇ ଏକ ଦାବି ପତ୍ର ଦେଇଛନ୍ତି । ବୈପାରିଗୁଡା ବ୍ଲକର ଜଣେ ଚାଷୀ ନରେନ୍ଦ୍ର କାନ୍ଦୁଲିଆଙ୍କ କହିବା ଅନୁସାରେ, ଲ୍ୟାମ୍ପସ ନିକଟରେ ସବୁ ବ୍ୟବସ୍ଥା ଓ କମ୍ପୁଟର ଚଳାଇବାରେ ଅଭିଜ୍ଞ ବ୍ୟକ୍ତି ଥିଲେ ମଧ୍ୟ ଚାଷୀଙ୍କ ପାଇଁ ମଣ୍ଡିରେ ଧାନ ବିକ୍ରି କରି ଅର୍ଥ ପାଇବାରେ ବିଳମ୍ବ ଘଟୁଛି । ତେବେ କୌଣସି ସୁବିଧା ଓ ଦକ୍ଷତା ନଥିବା ସ୍ବୟଂ ସହାୟକ ଦଳ ଗୁଡିକ ମାଧ୍ୟମରେ ଧାନ କ୍ରୟ କରାଯିବା ଫଳରେ ଚାଷୀ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ।
ସ୍ବୟଂ ସହାୟକ ଦଳ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୁଦ୍ର ବ୍ୟବସାୟ କରି ନିଜ ଗ୍ରୁପରେ କାର୍ଯ୍ୟକୁ ସୀମିତ ରଖିଛନ୍ତି । ଏହାଦ୍ବାରା ଶହ ଶହ ଚାଷୀଙ୍କ ସହ ବ୍ୟବସାୟ କରିବା ସମ୍ଭବ ହେବ ନାହିଁ ବୋଲି ଡୁମୁରିପୁଟ ଲ୍ୟାମ୍ପସର ସଭାପତି କର୍ପୁର ହନ୍ତାଳ ମତ ରଖିଛନ୍ତି ।
ତେବେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସେମାନଙ୍କ କଥାକୁ ଶୁଣିବା ପରେ ଏହି ଦିଗ ପ୍ରତି ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିବା ଚାଷୀ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ