କୋରାପୁଟ: ଭାରତମାଳା ଯୋଜନାରେ ଛତିଶଗଡର ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ସଡକ ନିର୍ମାଣ ହେବ । 464 କିଲୋମିଟର ନିର୍ମାଣ ହେବାକୁ ଥିବା ଏହି 6 ଟିକିଆ ସ୍ବତନ୍ତ୍ର ହାଇୱେ ରାସ୍ତାର ଅଗ୍ରଗତି ସମ୍ପର୍କରେ ଗୁରୁବାର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି । କୋରାପୁଟ ଜିଲ୍ଲାପାଳ ଏଥିରେ ଅଧ୍ୟକ୍ଷତା କରିଛନ୍ତି ।
ଏହି ପ୍ରସ୍ତାବିତ ସଡକ ଛତିଶଗଡ, ଓଡି଼ଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବାବେଳେ ଏଥିପାଇଁ କୋରାପୁଟ ଜିଲ୍ଲାର 4ଟି ବ୍ଲକର 108 ହେକ୍ଟର ଜମି ଅଧିଗ୍ରହଣ ହେବ । ତେବେ ଏଥିପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି କରାଯାଇଛି । ପ୍ରସ୍ତାବିତ ସଡକ ସେମିଳିଗୁଡା ନିକଟସ୍ଥ ନିର୍ମାଣାଧୀନ ମଡେଲ ଡିଗ୍ରୀ କଲେଜ ଉପର ଦେଇ ଯାଉଥିବା ଯୋଗୁଁ ଜନଶୁଣାଣି ସମୟରେ ଏହାର ଦୃଢ ବିରୋଧ କରାଯାଇଛି । ଏହାସହ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ବହୁ ଜମି ମାଲିକ ଜମି ଛାଡିବା ପାଇଁ କଠୋର ସର୍ତ୍ତ ଉପସ୍ଥାପିତ କରିଛନ୍ତି । ତେବେ ଏ ସମ୍ବନ୍ଧରେ ଉଚ୍ଚ ଅଧିକାରୀଙ୍କ ପରାମର୍ଶ ମୁତାବକ ସମାଧାନର ବାଟ ଫିଟିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଜଣାଇଛନ୍ତି ।
କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ଯୋଜନା ସହ ସମ୍ପୃକ୍ତ ଥିବା ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଛନ୍ତି । ଜିଲ୍ଲାପାଳ ପ୍ରକଳ୍ପର ଅଗ୍ରଗତି ଦିଗରେ ସମୀକ୍ଷା କରିବା ସହ ପ୍ରତିବନ୍ଧକ ରୂପୀ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ କହିବା ଅନୁଯାୟୀ, ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ