କୋରାପୁଟ: ଆନ୍ଧ୍ରପ୍ରଦେଶର ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ପୋଲିସ ଅଧିକାରୀ ଗତକାଲି (ମଙ୍ଗଳବାର) କୋଟିଆ ପଞ୍ଚାୟତର ନେରେଡିବାଲାସା, ଉପର ସେମ୍ବି, ଧୂଳିପଦର ଓ ତଳ ସେମ୍ବୀ ଗସ୍ତ କରିଥିଲେ । ସେଠାକାର ଅଧିବାସୀଙ୍କ ପାଇଁ ବିଭିନ୍ନ ଯୋଜନାର ଘୋଷଣା କରି ଫେରିଯାଇଥିଲେ । ଏନେଇ ଆଜି(ବୁଧବାର) କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସାମ୍ବାଦିକଙ୍କୁ ନିଜ ପ୍ରତିକ୍ରିୟା ଜଣାଇଛନ୍ତି ।
ଆନ୍ଧ୍ରର ସରକାରୀ ଅଧିକାରୀ ମାନେ କ’ଣ ଘୋଷଣା କଲେ ସେ ସମ୍ପର୍କରେ କିଛି କହିପାରି ନଥିଲେ ବି ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ନେରେଡିବାଲାସା ଅଞ୍ଚଳରେ ଯୋରସୋରରେ ଚାଲିଥିବା ସେ ଜଣାଇଛନ୍ତି । ନେରେଡିବାଲାସାରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଅତି ଶୀଘ୍ର ସେଠାରେ ନିର୍ମାଣ ହେଉଥିବା ବିଦ୍ୟାଳୟ ମଧ୍ୟ ସମ୍ପୂର୍ଣ୍ଣ ହେବ । ଏଥିସହିତ ନେରେଡିବାଲାସା ଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ