କୋରାପୁଟ: ଆଦିବାସୀ ଜିଲ୍ଲା କୋରାପୁଟରୁ ଉତ୍ପାଦିତ ହୋଇ ବର୍ତ୍ତମାନ ସମଗ୍ର ଭାରତ ତଥା ବିଶ୍ଵସ୍ତରରେ ଖ୍ୟାତି ଅର୍ଜନ କରିଛି କୋରାପୁଟ କଫି । ଜିଲ୍ଲାରେ ନିଜସ୍ଵ ଉଦ୍ୟମରେ କଫି ଉଦ୍ୟୋଗୀମାନେ ବେଙ୍ଗାଲୁରୁ ଭଳି ଉନ୍ନତ ବଜାରରେ କଫି ମଞ୍ଜି ବିକ୍ରୟ କରିବାରେ ସମର୍ଥ ହେଉଥିବାବେଳେ ପ୍ରଥମ ଥର ପାଇଁ ଟାଟା କୋରାପୁଟରୁ କଫି କିଣିବା ପରେ ଅନେକ ଆଦିବାସୀ ଚାଷୀ ଏଥିରୁ ଉପକୃତ ହୋଇପାରିଛନ୍ତି ।
କୋରାପୁଟର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲାମତାପୁଟ, କୋରାପୁଟ, ପଟ୍ଟାଙ୍ଗୀ ଏବଂ ନନ୍ଦପୁର ବ୍ଲକରେ କଫି ଚାଷ କରାଯାଏ । ଏହି ବର୍ଷ 193 ଆଦିବାସୀ କୃଷକଙ୍କ ଠାରୁ ପ୍ରାୟ 28 ହଜାର 790 କେଜି କଫି ଚେରି କ୍ରୟ କରାଯାଇଥିଲା । ରାଜ୍ୟ ସରକାର କୋରାପୁଟ କଫିକୁ ପ୍ରୋତ୍ସାହନ ଦେଉଥିବାବେଳେ କଫି ଚାଷରେ ଏହି କ୍ଷେତ୍ରକୁ ବୃଦ୍ଧି କରିବା ସହ ଆଦିବାସୀ ଜୀବିକା ନିର୍ବାହ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର କହିଛନ୍ତି । ଏଥି ସହିତ 2021-22 ରେ ଜିଲ୍ଲାରେ 80 ହେକ୍ଟର ନୂତନ କଫି ବୃକ୍ଷରୋପଣ କରାଯାଇ ଥିବାବେଳେ ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।
ଟାଟା କୋରାପୁଟରୁ କଫି ମଞ୍ଜି କିଣିବା ଦ୍ଵାରା ଭବିଷ୍ୟତରେ ଅନ୍ୟାନ୍ୟ କଫି ବ୍ୟବସାୟ କରୁଥିବା କମ୍ପାନୀ ମଧ୍ୟ ଆକ୍ରୁଷ୍ଟ ହେବେ ବୋଲି ବିଶିଷ୍ଟ କଫି ଚାଷୀ ଉମାକାନ୍ତ ବର୍ମା ଆଶା ପୋଷଣ କରିଛନ୍ତି । ତେବେ ବଡ ବଡ କମ୍ପାନୀକୁ କୋରାପୁଟ ଜିଲ୍ଲାର କଫି ଚାଷକୁ ଆକ୍ରୁଷ୍ଟ କରିବାକୁ ହେଲେ ସରକାର ଜିଲ୍ଲାରେ କଫି ଚାଷର ପରିମାଣକୁ ବହୁମାତ୍ରାରେ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ସମଗ୍ର ଓଡିଶାରେ 5 ଲକ୍ଷ ହେକ୍ଟର ଜମି କଫି ଚାଷ ପାଇଁ ଉପଯୋଗୀ ଥିବାବେଳେ ସେଥିମଧ୍ୟରୁ 3 ଲକ୍ଷ ହେକ୍ଟର ଜମି କେବଳ କୋରାପୁଟ ଜିଲ୍ଲାରେ ରହିଛି । ତେଣୁ ଏହି ବିଶାଳ ସୁଯୋଗକୁ ସାଧାରଣ ଚାଷୀଙ୍କ ପାଇଁ ଉପଯୋଗ କରିପାରିଲେ ଜିଲ୍ଲାର କଫି ଆହୁରି ଆଦୃତ ହୋଇପାରନ୍ତା ବୋଲି ବର୍ମା କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ