କୋରାପୁଟ: ଜିଲ୍ଲାର CRPF ଯବାନ ପ୍ରଭାସ କୁମାର ମହାନ୍ତି ୨୦୦୬ ମସିହାରେ ପାଣିରେ ଗାଧୋଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସାନ ଭାଇକୁ ଚାକିରି ଦେବା ପାଇଁ ପ୍ରତିଶୃତି ଦେଇଥିଲା ସିଆରପିଏଫ । ମୃତ୍ୟୁବେଳେ ସାନ ଭାଇ ପବନକୁ ୧୬ ବର୍ଷ ହୋଇନଥିବାରୁ ଚାକିରି ଦେଇନଥିଲା ବିଭାଗ । ଏହାପରେ ଚାକିରି ଦେବାରେ ଅବହେଳା କରି ଏବେ ପବନକୁ ୩୨ ବର୍ଷ ହେବା ପରେ ଚାକିରି ଦେବାକୁ ରୋକଠୋକ ମନା କରିଛି ସିଆରପିଏଫ । ଏବେ ପବନ ନିଜ ବେକାରୀକୁ ନେଇ ସରକାରଙ୍କୁ ଦାୟୀ କରିଛି ।
କୋଲାବ ଜଳ ବିଦ୍ୟୁତ୍ ଯୋଜନାରେ ଏକ ଚତୁର୍ଥ ଶ୍ରେଣୀର କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିବା ପ୍ରଫୁଲ୍ଲ ମହାନ୍ତିଙ୍କ ପୁଅ ଥିଲେ ସିଆରପିଏଫ ଯବାନ ପ୍ରଭାସ କୁମାର ମହାନ୍ତି । ୨୦୦୬ ମସିହାରେ ପଶ୍ଚିମବଙ୍ଗରେ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଥିଲେ । ତେବେ ଗାଧୋଇବା ସମୟରେ ପ୍ରଭାସ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବିଭାଗୀୟ ସଫେଇ ଦେଇ ପତ୍ରରେ ଲେଖିଥିଲା ।
ତେବେ ଦୀର୍ଘ ୧୬ ବର୍ଷ ବିତି ଯାଇଥିଲେ ମଧ୍ୟ CRPFର ପ୍ରତିଶୃତି ପାଳନରେ ଦେଖାଯାଇଥିବା ବିମୁଖତା ଯୋଗୁଁ ପ୍ରଭାସର ମୃତ୍ୟୁର କାରଣ ସମ୍ପର୍କରେ ପରିବାର ସନ୍ଦେହ କରିବାକୁ ବାଧ୍ୟ ହୋଇଛନ୍ତି । ପ୍ରଭାସର ମୃତ୍ୟୁ ପରେ ସିଆରପିଏଫ୍ ପକ୍ଷରୁ ସାନ ପୁଅ ପବନକୁ ଚାକିରି ଓ ବାପା ମାଆଙ୍କୁ ପାରିବାରିକ ପେନସନ ଯୋଗାଇଦେବାର ପ୍ରତିଶ୍ରୁତି ମିଳିଥିଲା । ମାତ୍ର ସିଆରପିଏଫ୍ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- କୋରାପୁଟରେ ଅହିଂସା ରଥକୁ ବିପୁଳ ସ୍ବାଗତ
ପ୍ରଭାସଙ୍କ ମୃତ୍ୟୁ ଘଟିବା ବେଳକୁ ସାନ ଭାଇ ପବନର ବୟସ ୧୮ ବର୍ଷ ହୋଇନଥିବା ଯୋଗୁଁ ପରବର୍ତ୍ତୀ ପର୍ଯ୍ୟାୟରେ ତାକୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା ଓ ସେ ନେଇ ବିଭିନ୍ନ କାଗଜପତ୍ର ପ୍ରସ୍ତୁତି କରିବାରେ ଅର୍ଥ ଓ ସମୟ ଅପଚୟ ଘଟିଥିଲେ ମଧ୍ୟ ସିଆରପିଏଫ୍ ର ଅବହେଳାରେ ଅନ୍ତ ଘଟିନଥିବା ମା' ମଞ୍ଜୁଲତା ଅଭିଯୋଗ କରିଛନ୍ତି । ଶେଷକୁ ୧୬ ବର୍ଷର ଅବହେଳା ଦେଖାଇବା ପରେ ବର୍ତ୍ତମାନ ସିଆରପିଏଫ୍ର ଅଧିକାରୀମାନେ ପବନର ବୟସ ୩୨ ବର୍ଷ ହୋଇଯାଇଥିବା ଯୋଗୁଁ ଚାକିରୀ ଦେବା ସମ୍ଭବ ହେବ ନାହିଁ ବୋଲି ରୋକଠୋକ୍ ମନାକରିଦେଇଥିବା ସେ କହିଛନ୍ତି ।

ଏଥିସହିତ ପ୍ରଭାସଙ୍କ ପିତା ପ୍ରଫୁଲ୍ଲ ମହାନ୍ତି ଗୋଟିଏ ପେନସନ ପାଉଥିବା ଯୋଗୁଁ ସିଆରପିଏଫ୍ ପକ୍ଷରୁ ପାରିବାରିକ ପେନସନ ଦେବା ସମ୍ଭବ ନୁହେଁ ବୋଲି ନିକଟ ଅତୀତରେ ଚିଠି ଆସି ପହଞ୍ଚିବା ପରେ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି । ଗୋଟିଏ ପଟେ ବେକାରୀ ସହ ଯୁଦ୍ଧ କରିଥିବା ସାନ ପୁଅ କିପରି ଥଇଥାନ ହେବ, ସେ ଚିନ୍ତା ହୃଦୟକୁ ବିଚଳିତ କରିଥିବାବେଳେ ଅନ୍ୟପଟେ ପ୍ରଫୁଲ୍ଲଙ୍କ ପକ୍ଷାଘାତ ରୋଗ ଓ ମା' ମଞ୍ଜୁଲତାଙ୍କ ଦୁର୍ବଳ ସ୍ବାସ୍ଥ୍ୟକୁ ନେଇ ଆର୍ଥିକ ଅନାଟନ ପରିବାରର ଚିନ୍ତା ବଢ଼ାଇଛି । ପବନ ତାଙ୍କ ବେକାରୀ ପାଇଁ ସିଆରପିଏଫ୍କୁ ଦାୟୀ କରିଥିବା ସହିତ ୧୬ ବର୍ଷର ଅବହେଳାକୁ ଗଣନା କରି ସିଆରପିଏଫ୍ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।
ଇଟିଭି ଭାରତ, କୋରାପୁଟ