କୋରାପୁଟ: ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ସରକାର ଶୁକ୍ରବାର ବଡ ଘୋଷଣା କରିଛନ୍ତି । ପରୀକ୍ଷାର୍ଥୀଙ୍କୁ ଯାତାୟତ ସହ ରହିବା ନେଇ ସମସ୍ତ ସେବା ମାଗଣାରେ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଜେଇଇ ଓ ନିଟ ପରୀକ୍ଷା କେନ୍ଦ୍ରକୁ ସୁରକ୍ଷିତ ଭାବେ କିପରି ପହଞ୍ଚିପାରିବେ ସେ ନେଇ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ।
ପରୀକ୍ଷାର ଦିନ ପାଖେଇ ଆସୁଥିବା ଯୋଗୁଁ କୋରାପୁଟ ଜିଲ୍ଲାର ପରୀକ୍ଷାର୍ଥୀ ଶନିବାର କୋରାପୁଟ ଜିଲ୍ଲା ପାଇଁ ନୋଡାଲ କେନ୍ଦ୍ର ସାଜିଥିବା ଆମ୍ବାଗୁଡା ଆଇଟିଆଇର ଫୋନକୁ ଯୋଗାଯୋଗ କରିଥିଲେ । ହେଲେ ସକାଳୁ ଅଫିସରେ କେହି ଫୋନ ଉଠାଇନଥିବାରୁ ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି ।
ଗୋଟିଏ ପଟେ କୋରୋନା ସଂକ୍ରମଣର ଭୟ ଗ୍ରାସ କରୁଥିବା ବେଳେ ବସରେ ପରୀକ୍ଷା ଦେବାକୁ ଯିବାରେ ଦ୍ଵନ୍ଦ୍ବ ସାଙ୍ଗକୁ ନୋଡାଲ କେନ୍ଦ୍ରରୁ ସୂଚନା ନ ମିଳିପାରିବା ପରୀକ୍ଷା ପାଇଁ ଚାଲିଥିବା ପ୍ରସ୍ତୁତିରେ ବାଧା ସୃଷ୍ଟି କରୁଥିବା ପରୀକ୍ଷାର୍ଥୀ ଜଣାଇଛନ୍ତି । ତୁରନ୍ତ ସରକାର ଗୋଟାଏ ନମ୍ବର ସ୍ଥାନରେ ଏକାଧିକ ଫୋନ ନମ୍ବର ଦେବା ପାଇଁ ପରୀକ୍ଷାର୍ଥୀ ଦାବି କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ