କୋରାପୁଟ: ରାତି ପାହିଲେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ଏଭଳି ସମୟରେ କୋରାପୁଟ ବିଡିଓ ନରେନ୍ଦ୍ର ନାୟକଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ବିଡିଓ ନିୟମ ଉଲ୍ଲଂଘନ କରି ଦୁଇଟି ବାକ୍ସ ଗଣତି କେନ୍ଦ୍ର ମଧ୍ୟକୁ ନେଇଯାଇଥିବା ଅଭିଯୋଗ ହୋଇଛି ।
ଜୟପୁର ବିଧାୟକ ଅଭିଯୋଗ କରିଛନ୍ତି ଯେ, "କୋରାପୁଟ ସହର ନିକଟସ୍ଥ ଲାଣ୍ଡିଗୁଡ଼ାରେ ଥିବା ସରକାରୀ ମହାବିଦ୍ୟାଳୟକୁ ଭୋଟ ଗଣତି କେନ୍ଦ୍ର ଭାବରେ ପ୍ରସ୍ତୁତ କରି ରଖାଯାଇଛି । ତେବେ ଶୁକ୍ରବାର ସନ୍ଧ୍ୟାରେ ଏହି ଭୋଟ ଗଣତି କେନ୍ଦ୍ର ମଧ୍ୟକୁ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ଦଳୀୟ କର୍ମୀଙ୍କୁ ନ ଜଣାଇ ଜୋନ ୨ ଲେଖାଥିବା ଦୁଇଟି ଟିଣ ବାକ୍ସ ନେଇଯାଇଥିଲେ । ଏହା ନିର୍ବାଚନ ନିୟମର ଉଲ୍ଲଂଘନ ।"
ଭୋଟ ଗଣତି କେନ୍ଦ୍ର ବାହାରେ ଥିବା କଂଗ୍ରେସ କର୍ମୀ ଏହାକୁ ନେଇ ତାରା ପ୍ରସାଦ ବାହୀନିପତିଙ୍କୁ ଜଣାଇଥିଲେ । ଏହାପରେ ସେ ଆସି ବିଡିଓଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ । ଏହାପରେ ବିଡିଓ ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ନିଆଯାଇଥିବା ବାକ୍ସ ଖୋଲି ବିଧାୟକଙ୍କୁ ଦେଖାଇଥିଲେ । ତେବେ ସେଥିରେ ଭୋଟ ଗଣତିର କିଛି ସରଞ୍ଜାମ ରହିଥିଲା ।
ଏହାସତ୍ତ୍ବେ ଜୟପୁର ବିଧାୟକ କୋରାପୁଟ ବିଡିଓଙ୍କ ଉପରେ ସନ୍ଦେହ ପ୍ରକାଶ କରଛନ୍ତି । ସେପଟେ ଭୋଟ ଗଣତି ପାଇଁ ନିଆଯାଇଥିବା ଆବଶ୍ୟକ ଜିନିଷ ଦେଖାଇବା ପରେ ଜୟପୁର ବିଧାୟକ ସନ୍ତୋଷ ପ୍ରକାଶ କରିଥିବା କଥା କହିଛନ୍ତି ବିଡିଓ । ଭୋଟ ଗଣତି କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କଥା ସେ କହିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ