କୋରାପୁଟ: ବୟସର ଅପରାହ୍ନରେ ବୃଦ୍ଧ ବାପାଙ୍କ ମୁଣ୍ଡରେ ସନ୍ତାନର ବୋଝ। ଯେଉଁ ବୟସରେ ପୁଅର ସାହାର ପାଇବା କଥା ସେହି ବୟସରେ ଆଜି ସେ କରୁଛନ୍ତି ପୁଅଙ୍କ ସେବା ଯତ୍ନ । ଯୁବ ବୟସରେ ବଡ ପୁଅ ଦୃଷ୍ଟିଶକ୍ତି ହରାଇଥିବା ବେଳେ ଦ୍ଵିତୀୟ ପୁଅ ମୂର୍ଚ୍ଛା ରୋଗରେ ଆକ୍ରାନ୍ତ । ଏ ହେଉଛି କୋରାପୁଟ ବଇପାରିଗୁଡା ବ୍ଲକ ଅନ୍ତର୍ଗତ ଝଡିଗୁଡା ଗ୍ରାମ ବାସିନ୍ଦା ଗୋବିନ୍ଦ ଖିଲଙ୍କ ଦୁଃଖ କାହାଣୀ ।
ତେବେ ଗତ ସାତ ବର୍ଷ ପୂର୍ବେ କେଜାଣି କେମିତି ବଡ଼ ପୁଅ ଜଗନ୍ନାଥ, ହଠାତ ଦୃଷ୍ଟିଶକ୍ତି ହରାଇବସିଲା । ଜଗନ୍ନାଥର ଏପରି ଦୂରାବସ୍ଥାକୁ ଦେଖି ମନଭରି କାନ୍ଦିବା ପୂର୍ବରୁ ସାନପୁଅ ଗୁରୁ ଖିଲକୁ ମୁର୍ଛା ରୋଗ ଆକ୍ରାନ୍ତ କରିଥିଲା । ଏପଟେ ବଡ଼ପୁଅକୁ ବିଭିନ୍ନ ଚିକିତ୍ସା କେନ୍ଦ୍ର , ଗୁଣିଆ, ବୈଦଙ୍କୁ ଦେଖାଇବା ପରେ ମଧ୍ୟ କିଛି ଲାଭ ହୋଇନଥିବା ବାପାଙ୍କ ପାଇଁ ହଠାତ ଦେବଦୂତ ସାଜି ପହଞ୍ଚିଥିଲେ ସେହି ଅଞ୍ଚଳର ସ୍ପ୍ରେଡ ଅନୁଷ୍ଠାନ । ସେମାନେ ଉଭୟ ଜଗନ୍ନାଥ ଓ ଗୁରୁଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦେଖାଇବା ଦ୍ବାରା ଗୁରୁ ଖିଲ ଅତି କମ ଦିନ ମଧ୍ୟରେ ସାଧାରଣ ବ୍ୟକ୍ତି ଭାବେ ଚଳପ୍ରଚଳ ଆରମ୍ଭ କରିଛି । କିନ୍ତୁ ବଡ ପୁଅ ଜଗନ୍ନାଥ ଦୃଷ୍ଟି ଶକ୍ତି ଫେରିପାଇବା ପାଇଁ ଅପେକ୍ଷା କରି ରହିଛି ।
ଏପଟେ ଜଗନ୍ନାଥ ନିଜ ଗୋଡରେ ନିଜେ ଠିଆ ହେବାର ସଂକଳ୍ପ ନେଇ ଛୋଟ ଦୋକାନଟିଏ ଖୋଲିବା ପାଇଁ ଆର୍ଥିକ ସହଯୋଗର ଆବଶ୍ୟକତା ରହିଛି ବୋଲି ଗୋବିନ୍ଦ କହିଛନ୍ତି । ଜଗନ୍ନାଥର କାହାଣୀ ଶୁଣିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସିମାଞ୍ଚଳ ମହାପାତ୍ର ମଧ୍ୟ ଶୋକାଭିଭୂତ ହୋଇଉଠିଲେ । ଜଗନ୍ନାଥଙ୍କ ଜୀବନ ଏକ ସ୍ବାବଲମ୍ବୀ ମଣିଷର ଜୀବନ ହେବା ଦିଗରେ ଜିଲ୍ଲାପ୍ରଶାସନ ଯଥାସମ୍ଭବ ସହଯୋଗ କରିବ ବୋଲି ଶ୍ରୀ ମାହାପାତ୍ର ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ