କୋରାପୁଟ: ଆଳୁର ଅଧିକ ଉତ୍ପାଦନ ଚାଷୀଙ୍କ ବଢ଼ାଇଛି ଚିନ୍ତା । ଗତ ବର୍ଷ ଆଳୁର ବିକ୍ରୟ ମୂଲ୍ୟ ଅଧିକ ରହିଥିବା ଦେଖି ଚଳିତ ବର୍ଷ ଜିଲ୍ଲାରେ ଅଧିକରୁ ଅଧିକ ଚାଷୀ ବ୍ୟକ୍ତିଗତ ଭାବେ ତଥା ଉଦ୍ୟାନ ବିଭାଗ, ଆଇଟିଡିଏ ଓ ଇଣ୍ଟର ନେସନାଲ ପଟାଟୋ ସେଣ୍ଟରର ସହଯୋଗରେ 2500 ହେକ୍ଟରରୁ ଉର୍ଦ୍ଧ୍ବ ଜମିରେ ଆଳୁ ଚାଷ କରିଛନ୍ତି । କିନ୍ତୁ ଆଳୁର ଅଧିକ ଉତ୍ପାଦନ ଯୋଗୁଁ ବଜାରରେ ଏହାର ଦରଦାମ କମିଛି । ଯାହା ଫଳରେ ଆଳୁ ଅମଳ କରିଥିବା ଚାଷୀମାନେ ଚିନ୍ତିତ ହୋଇ ପଡିଛନ୍ତି ।
ଚଳିତ ବର୍ଷ ବର୍ଷା ଅଭାବରୁ ଏକର ପିଛା ଯେତେ ବାହାରିବା କଥା ତାଠାରୁ କମ ଉତ୍ପାଦନ ହୋଇଥିଲେ ହେଁ ଅଧିକ ଜମିରେ ଆଳୁ ଚାଷ ହୋଇଥିବା ଯୋଗୁଁ ସାମୂହିକ ଭାବେ ଆଳୁର ଉତ୍ପାଦନ ବୃଦ୍ଧି ପାଇଛି । ହେଲେ ଚାଷୀଙ୍କ ପାଖରେ ଶୀତଳ ଭଣ୍ଡାରର କୌଣସି ବ୍ୟବସ୍ଥା ନାହିଁ । ଆଉ ଏପଟେ ଦୁଇ ତିନି ଦିନ ରହିଲେ ଆଳୁ ନଷ୍ଟ ହୋଇଯାଉଛି । ସେଥିପାଇଁ ବାଧ୍ୟ ହୋଇ ଚାଷୀ 8 ରୁ 10 ଟଙ୍କା ମୂଲ୍ୟରେ ଆଳୁ ବିକ୍ରି କରୁଛି ।
ତେବେ ଶୀତଳ ଭଣ୍ଡାରରେ ରଖି ଉଚିତ ଦର ପାଇବା ପାଇଁ ଚାଷୀ ଅପେକ୍ଷା କରିପାରିଲେ ଆଳୁ ଚାଷ କରି କୋରାପୁଟ ଚାଷୀ ଲାଭବାନ ହୋଇପାରନ୍ତେ ବୋଲି ଉଦ୍ୟାନ ବିଭାଗର ଉପନିର୍ଦେଶକ ମତ ରଖିଛନ୍ତି । କିନ୍ତୁ ଜିଲ୍ଲାରେ ସରକାର ଶୀତଳ ଭଣ୍ଡାରର କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ଆଳୁକୁ କମ ଦରରେ ବିକିବାକୁ ବାଧ୍ୟ ହେଉଛି ଚାଷୀ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ