କୋରାପୁଟ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀ ଦ୍ବାରା ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତରେ ରହିଥିବା ଫଟକିଜାମ୍ ବାଗ୍ରି ଗ୍ରାମରେ ଦେଖିବାକୁ ମିଳିଛି ।
ତେବେ ବିବାହର 32 ବର୍ଷ ଦାମ୍ପତ୍ୟ ଜୀବନ ଅତିବାହିତ କରିବା ପରେ ମଙ୍ଗଳବାର ରାତିରେ 43 ବର୍ଷର ସ୍ତ୍ରୀ ଚମ୍ଫାବତୀ ବାଘଙ୍କୁ ସ୍ବାମୀ ପରମା ବାଘ ହତ୍ୟା କରିଥିବା କୁହାଯାଉଛି ।
ଖବର ଅନୁଯାୟୀ, ପରିବାର ଲୋକେ ଚମ୍ପାବତୀଙ୍କୁ ଘରେ ନପାଇ ନିକଟସ୍ଥ କାଜୁ ଜଙ୍ଗଲରେ ଖୋଜା ଖୋଜି କଲାପରେ ତାଙ୍କୁ ନିଜ ଲୁଗାରେ ବାନ୍ଧି ହୋଇ ଗଛରେ ଓହଳିଥିବା ଅବସ୍ଥାରେ ଲୋକେ ଦେଖିବାକୁ ପାଇଥିଲେ ।
ଚମ୍ପାବତୀଙ୍କ ଭାଇ ଏହି ଘଟଣାକୁ ଏକ ହତ୍ୟା ବୋଲି ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି । ଏହି ଦମ୍ପତିଙ୍କ 3ଟି ପୁଅ 2 ଜଣ ଝିଅ ଥିବା ଜଣାପଡିଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ