କୋରାପୁଟ: କଫିର ବିଶ୍ବ ଦରବାରରେ ରହିଛି ଚାହିଦା । ଆପଣମାନେତ ଅନେକ ପ୍ରକାରର କଫି ପିଇଥିବେ । କିନ୍ତୁ କେବେ ସିବେଟ୍ କଫିର ମଜା ନେଇଛନ୍ତି । ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ସିବେଟ କ୍ୟାଟ ମଳରୁ ତିଆରି ହେଉଥିବା ଏହି କଫି ବହୁତ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ଏହାର ସ୍ୱତନ୍ତ୍ର ଗ୍ରାହକ ରହିଛନ୍ତି । ଯାହା ଏବେ କୋରାପୁଟରେ ପ୍ରସ୍ତୁତ ହେବା ସହ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ରର ପରିଚୟ ସୃଷ୍ଟି କରି ପାରିଛି ।
କଫିର ହବ୍ କୋରାପୁଟ: ଓଡ଼ିଶାର କଫି ହବ୍ କୁହାଯାଉଥିବା କୋରାପୁଟ ନିଜ ଉତ୍କୃଷ୍ଟ କଫି ପାଇଁ ବିଶ୍ବ ପ୍ରସିଦ୍ଧ । ୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଞ୍ଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା । ଯାହାର ଏବେ ଦେଶ ବିଦେଶରେ ଚାହିଦା ରହିଛି । ଭାରତର କର୍ଣ୍ଣାଟକ ଭଳି କଫି ବହୁଳ ରାଜ୍ୟରେ କଫି ପରି କୋରାପୁଟର କଫି ମଧ୍ୟ ନିଜର ସ୍ବତନ୍ତ୍ର ଗ୍ରହାକ ସୃଷ୍ଟି କରିଛି । କୋରାପୁଟ ନିକଟସ୍ଥ ଛୋଟାଗୁଡ଼ାରେ ବ୍ରାଉନ୍ ଭେଲି କଫି ବଗିଚାର ସିବେଟ କ୍ୟାଟଙ୍କ ଦ୍ବାରା ପ୍ରସ୍ତୁତ କଫି ଦେଶ ତଥା ବିଦେଶରେ ବେଶ ଚାହିଦା ରହିଛି ।
ସିବେଟ କଫି କ’ଣ ? : ଏକ ସ୍ୱତନ୍ତ୍ର ନେଉଳ ଜାତୀୟ ସିବେଟ କ୍ୟାଟ୍ । କଫି ବଗିଚାରେ କଫି ଫଳକୁ ଖାଇବା ପରେ ତାର ମଳରେ ବାହାରୁଥିବା କଫି ବିନ୍ରୁ ପ୍ରସ୍ତୁତ ସିବେଟ କ୍ୟାଟ କଫି । ବହୁତ କମ ପରିମାଣରେ ଉତ୍ପାଦିତ ହେଉଥିବା ବେଳେ ଏହା ବିଶ୍ବର ସବୁଠାରୁ ଦାମୀ କଫି । ପୂର୍ବରୁ ଭିଏତନାମ, ବ୍ରାଜିଲ ଓ ଇଣ୍ଡୋନେସିଆ ଭଳି କଫି ପ୍ରଧାନ ଦେଶରେ ମିଳୁଥିବା ସିବେଟ କ୍ୟାଟ କଫି ବିଶ୍ବ ଦରବାରରେ ସର୍ବୋତ୍କୃଷ୍ଟ କଫି ଭାବେ ପରିଚିତ ହୋଇଥିଲା । ମାତ୍ର କୋରାପୁଟରେ ମଧ୍ୟ ସମାନ ପ୍ରଣାଳୀରେ ସିବେଟ୍ କ୍ୟାଟ୍ କଫି ଚାଷ କରି ବେଶ ଲୋକପ୍ରିୟ ହୋଇପାରିଛି ।
ସିବେଟ କ୍ୟାଟ କଫି ଚାଷ ପ୍ରଣାଳୀ: କୋରାପୁଟ ନିକଟସ୍ଥ ଛୋଟାଗୁଡ଼ାରେ ବ୍ରାଉନ ଭ୍ୟାଲିରେ ଏପରି ସିବେଟ କ୍ୟାଟ୍ ଦ୍ବାରା କଫି ତିଆରି କରାଯାଉଛି । ବଣ ଜଙ୍ଗଲରେ ରହୁଥିବା ନେଉଳ ଭଳି ଦେଖାଯାଉଥିବା ଜୀବ କଫି ବଗିଚାକୁ ଆସି ପାଚିଲା ଫଳ ଖାଇନ୍ତି । ଏହାପରେ କଫି ମଞ୍ଜି ତାର ଅନ୍ତନଳୀରେ ପ୍ରାୟ 8 ରୁ 12 ଘଣ୍ଟା ସମୟ ସ୍ୱତନ୍ତ୍ର ଭାବେ ପାଚନ ପ୍ରକ୍ରିୟା ଦେଇ ଗତି କରିଥାଏ । ପରେ ଏହା ତାଙ୍କ ମଳରେ ବାହାରି ଥାଏ । ଯାହାକୁ ସ୍ବତନ୍ତ୍ର ଯନ୍ତ୍ର ଦ୍ବାରା ସଫା କରାଯାଇ ଉତ୍କୃଷ୍ଟମାନର କଫି ପ୍ରସ୍ତୁତ କରାଯାଉଛି ।
ଏହାକୁ ନେଇ କଫି ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି , "ବିଶେଷ ପ୍ରଣାଳୀରେ ଏହି କଫି ପ୍ରସ୍ତୁତ ହେଉଥିବା ବେଳେ ଦେଶର ବଡବଡ କାଫେରେ ଏହାର ଚାହିଦା ବହୁତ ରହିଛି । ତେବେ ଏହାର ଗୋଟିଏ କପ୍ର ଦାମ ୩୫ ଶହରୁ ୪ହଜାର ପର୍ଯ୍ୟନ୍ତ ରହିଥାଏ ।"
ଇଟିଭି ଭାରତ, କୋରାପୁଟ