କୋରାପୁଟ: ନିର୍ବାଚନ ପାଇଁ ଅନ୍ୟ ଦଳ ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିଲେ ମଧ୍ୟ କଂଗ୍ରେସରେ ମହିଳାଙ୍କୁ ଅଣଦେଖା କରାଯାଇଛି । ମହିଳାଙ୍କ ପ୍ରତି ଏଭଳି ପକ୍ଷପାତିତାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଚନ୍ଦ୍ରମା ସାଉଁନ୍ତା । କୋରାପୁଟ ଜିଲ୍ଲାର ନିର୍ବାଚନରେ 2ଥର ପୁରୁଷ ପ୍ରାର୍ଥୀଙ୍କୁ ପଛରେ ପକାଇ ଏକମାତ୍ର ମହିଳା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ଚନ୍ଦ୍ରମା ସାଉଁନ୍ତା । ସେ ପଟ୍ଟାଙ୍ଗିବିଧାନସଭା ଆସନରୁ 1980ଓ 1985ରେ କଂଗ୍ରେସରୁ ଲଢି ବିଜୟୀ ହୋଇଥିଲେ । ଏହା ପୂର୍ବରୁ ସେ ଅନେକ ଥର ପଞ୍ଚାୟତ ସମିତିର ସଭାପତି ମଧ୍ୟ ହୋଇଥିଲେ । ବିଧାୟକ ହେବା ପରେ 2002ରୁ 2007 ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିଜ ଦକ୍ଷତାକୁ ପ୍ରତିପାଦନ କରିଥିଲେ ।
ତେବେ ଚନ୍ଦ୍ରମା ଚଳିତ ନିର୍ବାଚନରେ ସମସ୍ତ ଦଳରେ ଅଧିକରୁ ଅଧିକ ମହିଳାଙ୍କୁ ନିର୍ବାଚନ ଲଢିବାର ସୁଯୋଗ ଦିଆଯିବ ବୋଲି ସେ ଆଶା ପୋଷଣ କରିଥିଲେ । ଆଗାମୀ ନିର୍ବାଚନର ପୃଷ୍ଠଭୂମି ନେଇ ସେ 'ଇଟିଭି ଭାରତ' ସହ ଆଲୋଚନା କରି କହିଥିଲେ ନିଜ ସମୟର ନିର୍ବାଚନ ପ୍ରଚାରରେ କିଭଳି ସ୍ୱଚ୍ଛତା ଅବଲମ୍ବନ କରାଯାଉଥିଲା । ଆଜିକାଲି ନିର୍ବାଚନୀରେ ଆଉ ସ୍ବଚ୍ଛତାଦେଖାଯାଉ ନାହିଁ ବୋଲି ସେ କହିଛନ୍ତି ।
ସେ ପ୍ରଥମଥର ଯେତେବେଳେ ବିଧାୟିକା ହୋଇଥିଲେ ସେତେବେଳେପାଡୁଆ ନିକଟସ୍ଥ ପାତାଳି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଲୋକଙ୍କ ଦାବିକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ । ଆଉ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଥିଲେ । ଯାହାକୁ ୮୧ ବର୍ଷ ବୟସରେ ମନେପକାଇ ଉଲ୍ଲସିତ ହୋଇଉଠିଛନ୍ତି ସେ ।
ନାରୀ ଜାଗରଣ ପାଇଁ ତାଙ୍କୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ମିଳିଥିବା ପ୍ରେରଣା ତାଙ୍କୁ ବହୁ ଆଗକୁ ନେଇଯାଇଥିଲା ବୋଲି ସେ ଗର୍ବର ସହିତ ବର୍ଣ୍ଣନା କରିଛନ୍ତି । କିନ୍ତୁ ନିଜ ଦଳ କଂଗ୍ରେସରେ ନାରୀଙ୍କ ସଂଖ୍ୟା ଉତ୍ସାହଜନକ ନ ଥିବା ନେଇ ସିଧାସଳଖ କିଛି କହିନଥିଲେ ମଧ୍ୟ କଥାରେ କଥାରେ ଦୁଃଖ ପ୍ରକାଶ କରିଥିଲେ । ଏହା ସହ ରାଜନୈତିକ ଦଳରେ ମହିଳାଙ୍କୁ ସଙ୍ଗଠିତ କରି ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଦେବା ପାଇଁ ପରିଣତ ବୟସରେ ମଧ୍ୟ ମହିଳାଙ୍କୁ ଏକତ୍ରିତ କରି ମହିଳା ଶକ୍ତିର ଜାଗରଣ କରିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ