କୋରାପୁଟ: ଇଟିଭି ଭାରତର ପ୍ରଭାବ। ନିଜ ଘରକୁ ଫେରିଲେ ଆସାମର ଦାଦନ ଶ୍ରମିକ ( Migrant worker Ajya returned to Assam, who arrived at koraput after walking 650 km from Hyderabad) । ଆସାମ ଦାଦନ ଶ୍ରମିକ ଅଜୟ ବୋଦୁଲେ ହାଇଦ୍ରାବାଦରୁ ଗୌହାଟୀ ଫେରିବାର ପ୍ରୟାସରେ 650 କିଲୋମିଟର ଚାଲି ଚାଲି ଅତିକ୍ରମ କରିବା ପରେ କୋରାପୁଟର ଲକ୍ଷ୍ମୀପୁରରେ ପହଞ୍ଚିଥିଲେ । ଆସାମରୁ ହାଇଦ୍ରାବାଦ ଯାତ୍ରା ଓ ତାପରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ପର୍ଯ୍ୟନ୍ତ ଅଜୟର ସଂଘର୍ଷପୂର୍ଣ୍ଣ ଯାତ୍ରା ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା ।
ଓଡ଼ିଆ ତଥା ଆସାମର ସ୍ଥାନୀୟ ଭାଷାରେ ଏହି ଖବର ପ୍ରସାରଣ ପରେ ଇଟିଭି ଭାରତର ଗୌହାଟୀ ସ୍ଥିତ ସାମ୍ବାଦିକ ତାଙ୍କ ଗ୍ରାମକୁ ଯାଇ ପରିବାର ସହ ଯୋଗାଯୋଗ କରିଥିଲେ । ତେବେ ଏହି ଖବରକୁ ଦେଖି ଆସାମ ୟୁନିସେଫରେ କାର୍ଯ୍ୟରତ ଓଡ଼ିଆ ଅଫିସର ଲକ୍ଷ୍ମୀନାରାୟଣ ନନ୍ଦ ଓ ଓଡ଼ିଶାରେ ଏଇଡ଼ ଏଟ ଏକ୍ସନର (Odisha Aide Et Action) ରାଜ୍ୟ ମୁଖ୍ୟ ତଥା କୋରାପୁଟର ଯୁବ ସ୍ବେଚ୍ଛାସେବୀ ଉମି ଡାନିଏଲଙ୍କ ପ୍ରୟାସରେ ଆସାମ ସରକାର ଏହି ବିଷୟ ସମ୍ପର୍କରେ ଅବଗତ ହୋଇ କୋରାପୁଟ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ ।
ଏହି ସାମୁହିକ ପ୍ରୟାସର ଫଳ ସ୍ବରୂପ ଆଜି ଆସାମ ପୋଲିସର ଦୁଇଜଣ ଅଫିସର ଆସି ଲକ୍ଷ୍ମୀପୁର ପୋଲିସର ସହଯୋଗରେ ଅଜୟକୁ ଆଶ୍ରୟ ଦେଇଥିବା ରେଲୱେ ଟନେଲ ଖୋଦନ କାର୍ଯ୍ୟରେ ନିୟୋଜିତ ଆସାମର ଜଣେ ଡ୍ରାଇଭର ତସଲିମ ଅହମଦଙ୍କ ପାଖରେ ପହଞ୍ଚିଥିଲେ । ସେଠାରେ ଥିବା ସମସ୍ତ ଲୋକଙ୍କ ସହ ଚର୍ଚ୍ଚା କରିବା ପରେ ଆସାମ ପୋଲିସ ଆଜି ଅଜୟକୁ ବିଜୟନଗର ବାଟଦେଇ ଆସାମରେ ତାଙ୍କ ନିଜସ୍ବ ଘରକୁ ଫେରାଇନେଇଥିବା ତସଲିମ କହିଛନ୍ତି ।
ଅଜୟଙ୍କ ସଂଘର୍ଷପୂର୍ଣ ଯାତ୍ରା:-
ଅଜୟ ବୋଦୁଲେ ଆସାମର ନଗାଓଁ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରୁ ଜଣେ ମିସ୍ତ୍ରୀର କଥାକୁ ବିଶ୍ବାସ କରି କାମ କରି ଦୁଇ ପଇସା ରୋଜଗାର କରିବା ପାଇଁ କିଛି ମାସ ପୂର୍ବେ ସୁଦୂର ହାଇଦ୍ରାବାଦ ପହଞ୍ଚିଥିଲା ।
ହାଇଦ୍ରାବାଦ ପହଞ୍ଚିବା ପରେ ଘର ସେଣ୍ଟ୍ରିଙ୍ଗ କାମରେ ଅଜୟକୁ ସେହି ମିସ୍ତ୍ରୀ ଜଣକ ନିୟୋଜିତ କରିଥିଲା । କିନ୍ତୁ ମାସ ମାସ ଧରି କୁଲି କାମର ମଜୁରୀ ନ ମିଳିବା ଯୋଗୁଁ ହତାଶ ହୋଇପଡିଥିବା ବେଳେ ତାକୁ ହାଇଦ୍ରାବାଦ ଆଣିଥିବା ମିସ୍ତ୍ରୀ ହଠାତ କେଉଁଆଡ଼େ ଉଭାନ ହୋଇଯାଇଥିଲେ ।
ଏହାର ତିନିଦିନ ପର୍ଯ୍ୟନ୍ତ ଖାଇବାକୁ ନ ପାଇ ଘରକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇ ତିନିମାସ ପୂର୍ବେ ପ୍ରଥମ ପାଦ ବାହାର କରିଥିଲା ଅଜୟ । କିନ୍ତୁ ପାଖରେ ପଇସାଟିଏ ନଥିବା ଯୋଗୁଁ ଚାଲି ଚାଲି ଯିବାକୁ ବାଧ୍ୟ ହୋଇ ଗୌହାଟୀ ଯିବା ପାଇଁ ବାଟ ପଚାରି ପଚାରି ପଦଯାତ୍ରା ଆରମ୍ଭ କରିଥିଲା ଏହି ଅସହାୟ, ବେସାହାରା ଦାଦନ ଶ୍ରମିକ । ପାଖରେ ମୋବାଇଲ ନାହିଁ କି ବନ୍ଧୁ ପରିଜନଙ୍କ ଫୋନ ନମ୍ବର ଜଣାନାହିଁ । ଏତେବଡ ଦୁନିଆରେ ଏକଲା ହୋଇଯାଇଥିବା ଅଜୟ ବାଟରେ ଭୋକ ଲାଗିଲେ ଲୋକଙ୍କୁ ଖାଇବାକୁ ମାଗିଛି । କେହି ଖାଇବାକୁ ଦେଲେ ପେଟ ଭରିଯାଉଥିଲା ଏବଂ ଲୋକଙ୍କ ତିରଷ୍କାର ମିଳିଲେ ପାଣି ପିଇ ଆଉ କିଛି ବାଟ ଚାଲୁଥିଲା ଅଜୟ । ନିଜ ନାଁ କୁ ସାର୍ଥକ କରି ଆଗେଇଚାଲିଥିବା ଅଜୟ ମାଲକାନଗିରି ଜିଲ୍ଲା ଅତିକ୍ରମ କରି ପ୍ରାୟ 650 କିଲୋମିଟର ଚାଲି ସାରିଥିବା ଅଜୟ କୋରାପୁଟ ଜିଲ୍ଲା ର ଲକ୍ଷ୍ମୀପୁର ପହଞ୍ଚି ଗୌହାଟୀକୁ ରାସ୍ତା ସମ୍ପର୍କରେ ପଚାରିଲା ବେଳକୁ ଇତି ମଧ୍ୟରେ ତିନିମାସ ଯେ ବିତିଯାଇଛି ତାହା ସେ ଭାବି ମଧ୍ୟ ପାରିନଥିଲା । ପରିବାର ସହ କଥାବାର୍ତା ହୋଇପାରିନଥିବା ଓ ଏପରିକି ତାର ସ୍ଥିତି ସମ୍ପର୍କରେ ସେମାନଙ୍କୁ ଜଣାଇ ନ ପାରିବାର ଦୁଃଖ ମାଡି ବସୁଥିଲା ।
ଏପରି ଏକ ସମୟରେ ଚାଲି ଚାଲି ଆଉ 1700 କିଲୋମିଟର ଚାଲିବା ପାଇଁ ପାଦ ବଢ଼ାଇଥିବା ସମୟରେ ଲକ୍ଷ୍ମୀପୁରର ଜଣେ ଯୁବ ସ୍ବେଚ୍ଛାସେବୀ ନରେନ୍ଦ୍ର ଗରଡ଼ାଙ୍କ ନଜର ଅସହାୟ ଭାବରେ ଚାଲୁଥିବା ଅଜୟ ଉପରେ ପଡିଥିଲା । ସେ ଅଜୟ ହାଇଦ୍ରାବାଦରୁ ସେପର୍ଯ୍ୟନ୍ତ ହୋଇଥିବା ଅଜେୟ ଯାତ୍ରା ସମ୍ପର୍କରେ ଜାଣିବା ପରେ ତାକୁ ଖାଇବାକୁ ଦେଇ ନିଜ ଘରେ ଆଶ୍ରୟ ଦେଇଥିଲେ । ଅଜୟକୁ କିଛି ଅର୍ଥ ଦେଇ ତାର ଗାଁକୁ ପଠାଇଦେବାର ପ୍ରଚେଷ୍ଟା କରୁଥିବା ବେଳେ ଲକ୍ଷ୍ମୀପୁର ପାଖରେ ନୂତନ ଭାବେ ଖୋଳା ଯାଉଥିବା ରେଳ ଟନେଲ କାମରେ ନିୟୋଜିତ ହୋଇଥିବା ଆସାମର କିଛି ଶ୍ରମିକଙ୍କ କଥା ଜାଣିବା ପରେ ନରେନ୍ଦ୍ର ଅଜୟକୁ ନେଇ ସେମାନଙ୍କ ପାଖକୁ ଯାଇଥିଲେ ।
ସେମାନଙ୍କ ସହ କଥାବାର୍ତ୍ତା କରି ଭାଇ ବନ୍ଧୁ କୁଟୁମ୍ବଙ୍କୁ ମିଶିବାର ଅନୁଭୂତି ମିଳିଥିଲା ଅଜୟକୁ । ଅଜୟର ଅବସ୍ଥାକୁ ଦେଖି ତାକୁ ଏକା ଆସାମ ପଠାଇବାକୁ ଠିକ ମଣିନଥିଲେ ସେହି ଶ୍ରମିକ ମାନେ । ତାଙ୍କ ସହିତ କିଛିଦିନ କାମ କରି ସାଥି ହୋଇ ରହିବାର ଇଚ୍ଛା ପ୍ରକଟ କରିବା ପରେ ସେମାନେ ତାଙ୍କ ସହ ଅଜୟକୁ ଏକ ହେଲ୍ପର ଭାବେ କାମ କରିବା ପାଇଁ ସୁଯୋଗ ପ୍ରଦାନ କରିଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ