କୋରାପୁଟ: ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ । କୋରାପୁଟର ଶିବଲିଙ୍ଗପୁରମ ଠାରେ ଏର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନର ୧୧ଟି ବଗି ଟ୍ରାକରୁ ଖସିଯାଇଥିବା ସୂଚନା ରହିଛି ।
ସୂଚନାଅନୁସାରେ, କିରଣ୍ଡୁଲରୁ ବିଶାଖାପାଟଣା ଯାଉଥିବା ଏକ ମାଲ ବୋଝେଇ ଟ୍ରେନ କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶର ଆରାକୁ ନିକଟସ୍ଥ ଶିବଲିଙ୍ଗପୁରମ ଠାରେ ଲାଇନଚ୍ୟୁତ ହୋଇଛି । ଟ୍ରେନର ୧୧ଟି ବଗି ଟ୍ରାକରୁ ଖସି ଯାଇଛି । ତେବେ ଏହି ଅଘଟଣରେ କୌଣସି କ୍ଷତି ହୋଇନଥିବା ବେଳେ ଉକ୍ତ ରୁଟରେ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଟ୍ରେନଟି ଲାଇନଚ୍ୟୁତ ହେବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଅନେକ ଟ୍ରେନ ଅଟକି ରହିଥିବା ମଧ୍ୟ ସୂଚନା ରହିଛି । ତେବେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବେ ବୋଲି ଅନୁମାନ କରାଯାଉଛି । ତେବେ ଖବରପାଇ ରେଳ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ଘଟଣାରେ ଟ୍ରାକ ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟ ପଡିଯାଇଥିବା ଦେଖାଯାଇଛି । ଗତ କିଛିଦିନ ପୂର୍ବେ ଏହି ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଣ୍ଡର ୧୯ ମହିଳା ଟିମକୁ ସମ୍ବର୍ଦ୍ଧନା , BCCI ଦେଲା ୫ କୋଟିର ଚେକ୍
ପ୍ରକାଶଥାଉକି, ଗତ ମାର୍ଚ୍ଚ ମାସରେ କୋରାପୁଟରେ ଏକ ମାଲବାହୀ ଟ୍ରେନ ଟ୍ରାକରୁ ଖସିଥିଲା । ଭେଜା ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ୬ଟି ବଗି ଟ୍ରାକରୁ ଖସିବା ଫଳରେ ଏହି ରୁଟରେ ଚାଲିଥିବା କିରଣ୍ଡଲ-ବିଶାଖାପାଟଣା ଏବଂ ବିଶାଖାପାଟଣା-କିରଣ୍ଡଲ ଏକ୍ସପ୍ରେସ ବାତିଲ କରାଯାଇଥିଲା ।
କିରଣ୍ଡଲରୁ ଲୁହା ପଥର ବୋଝେଇ ଟ୍ରେନଟି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଅଘଟଣ ହୋଇଥିଲା । ଫଳରେ ଅନେକ ଟ୍ରେନ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟେସନରେ ଅଟକି ରହିଥିଲା । ତେବେ ଖବରପାଇ ସଙ୍ଗେସଙ୍ଗେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ ବଗିକୁ ଟ୍ରାକରୁ ଉଠାଇଥିଲେ । ବାରମ୍ବାର ଟ୍ରାକରୁ ଟ୍ରେନ ଖସିବା ବର୍ତ୍ତମାନ ଏକ ଚିନ୍ତାର ବିଷୟ ପାଲଟିଛି । ରେଳ ବିଭାଗ ଏହାର ତଦନ୍ତ ମଧ୍ୟ ଜାରି ରଖିଥିବା ସୂଚନା ରହିଛି ।
ଇଟିଭି ଭାରତ, କୋରାପୁଟ