କୋରାପୁଟ: ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲା ବିଭିନ୍ନ କିସମର ଅଦା ଚାଷ ପାଇଁ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଖ୍ୟାତି ଅର୍ଜନ କରିଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶୀ ରାଜ୍ୟର ଅନେକ ବଜାରରୁ ବ୍ୟବସାୟୀ ଆସି କୁନ୍ଦୁଲି ହାଟପଦାରୁ ବର୍ଷ ତମାମ ଅଦା ନେଇଥାନ୍ତି । କିନ୍ତୁ, ଶିତଳ ଭଣ୍ଡାର ଅଭାବରୁ ଚାଷୀ ବହୁ ସମୟରେ ଅତି କମ ଦାମରେ ଅଦା ବିକ୍ରି କରିବାକୁ ବାଧ୍ୟ ହେଉଥିଲେ । ଚାଷୀଙ୍କ ଏହି ଅସୁବିଧାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ସମେତ କୋରାପୁଟର ପ୍ରଗତି ଭଳି ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ଚାଷୀଙ୍କ ଉତ୍ପାଦର କିପରି ଉଚିତ୍ ମୂଲ୍ୟ ମିଳିପାରିବ ସେନେଇ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
ଏହି କ୍ରମରେ ଜୈବିକ ଶ୍ରୀ କୃଷକ ଉତ୍ପାଦନ କମ୍ପାନୀ ଚାଷୀଙ୍କ ଠାରୁ ପ୍ରଥମେ ବଜାର ଦରରେ କିଣି ବାଙ୍ଗାଲୋର ସ୍ଥିତ ଏକ ବ୍ୟବସାୟିକ ସଂସ୍ଥାକୁ ବିକ୍ରି କରିଥିଲା । ଆଉ ବର୍ତ୍ତମାନ କମ୍ପାନୀ ସହ ଜଡ଼ିତ କୃଷକଙ୍କ ଠାରୁ ଅଦା ସଂଗ୍ରହ କରିବା ସହ ବଜାର ଦରରୁ କିଛି ଅଧିକା ମୂଲ୍ୟରେ ଅନ୍ୟାନ୍ୟ ଚାଷୀଙ୍କ ଠାରୁ କିଣିଥିବା ଅଦାକୁ ଶୁଣ୍ଠି ଭାବରେ ପ୍ରସ୍ତୁତ କରି ବାହାର ବଜାରରେ ବିକ୍ରି କରିବା ଆରମ୍ଭ କରାଯାଇଛି । ତେବେ କଞ୍ଚା ଅଦାକୁ ହାତରେ ସଫା କରି ଚୋପା ଛଡ଼ାଇବା ପାଇଁ ଅଧିକ ଲୋକଙ୍କୁ ନିଯୁକ୍ତି କରି ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା ।
ଏହି ଅବସ୍ଥାକୁ ସୁଧାରିବା ପାଇଁ କମ୍ପାନୀ ତରଫରୁ ଏକ ଅଦା ପ୍ରକ୍ରିୟାକରଣ ମେସିନ ସ୍ଥାପନା କରାଯିବା ପରେ କାର୍ଯ୍ୟ ବାହୁମାତ୍ରାରେ ସହଜ ହୋଇଉଠିଥିବା ମେସିନ ଚାଳକ ଡମ୍ବରୁଧର ଜାନି ଜଣାଇଛନ୍ତି । ବର୍ତ୍ତମାନ ପ୍ରତିଦିନ ଅଧିକରୁ ଅଧିକ ଅଦାର ପ୍ରକ୍ରିୟାକରଣ କରାଯାଇ ଶୁଣ୍ଠି ପ୍ରସ୍ତୁତ କରାଯାଉଥିବା ଫଳରେ ଚାଷୀ ଅଧିକ ଲାଭବାନ ହେଉଛନ୍ତି ବୋଲି ସୁରେନ୍ଦ୍ର ମସ୍ତି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ