କୋରାପୁଟ: ଚଳିତ ବର୍ଷ ଜାନୁଆରୀ ଓ ଅକ୍ଟୋବର ମାସ ମଧ୍ୟରେ କୋରାପୁଟ ଜିଲ୍ଲାରେ ସମୁଦାୟ 77 ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଥିବାବେଳେ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପ୍ରାୟ 40 ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସିଡିଏମଓ ମକରନ୍ଦ ବେଉରା ଜଣାଇଛନ୍ତି । ତେବେ ଡେଙ୍ଗୁ କାରଣରୁ କାହାରି ମୃତ୍ୟୁ ହୋଇ ନ ଥିବା ସେ ସୂଚନା ଦେଇଛନ୍ତି । ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଡେଙ୍ଗୁକୁ ନେଇ ସଚେତନ କରାଯାଉଛି । କୋରାପୁଟ ପୌରାଞ୍ଚଳ ମଧ୍ୟରେ ପୌରପରିଷଦ ତରଫରୁ ରାସ୍ତାକଡ ଓ ଘର ସାମନାରେ ମଶା ଧୂଆଁ ଗାଡି ଦ୍ୱାରା ଧୂଆଁ ଛଡା ଯିବା ସହ ସହରର ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଉଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି । ତେବେ ବେସରକାରୀ ପରୀକ୍ଷା କେନ୍ଦ୍ରରେ କିଛିମାସ ପୂର୍ବେ ପରୀକ୍ଷା କରାଯାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଶତକଡା 50 ଭାଗ ଡେଙ୍ଗୁରେ ପ୍ରଭାବିତ ହୋଇ ଥିବାବେଳେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା କୋରାପୁଟରେ ବେସରକାରୀ ପରୀକ୍ଷାକେନ୍ଦ୍ରର ପରିଚାଳକ ଭେଙ୍କଟେଶ୍ୱର ପଟ୍ଟନାୟକ କହିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ