କୋରାପୁଟ: ଜିଲ୍ଲାର ପିଣ୍ଡିକିମାଳିଗୁଡା ସ୍କୁଲରେ 18 ଜଣ ଛାତ୍ରଛାତ୍ରୀ ପଢୁଥିବା ଯୋଗୁଁ ସରକାରଙ୍କ ନିୟମ ଅନୁଯାୟୀ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । କୋରାପୁଟ ଯିବା ପାଇଁ ପାଞ୍ଚ ବର୍ଷର ପିଲାଟିଏ କିପରି ପାଞ୍ଚ କିଲୋମିଟର ଚାଲି ଚାଲି ଯିବ ସେ ନେଇ ଅଭିଭାବକ ମହଲରେ ଭାଳେଣି ପଡିଥିଲା । ଭୋର ପାଞ୍ଚଟା ବେଳୁ ପରିବା ଧରି ବଜାରକୁ ବାହାରି ପଡୁଥିବା ମାଆବାପା କେମିତି ପିଲାକୁ ଏତେ ଦୂର ପଢିବା ପାଇଁ ପଠାଇବେ ସେ ନେଇ ଆଶଙ୍କା ଉଙ୍କି ମାରିଥିଲା । ଏହି ସମସ୍ୟାର ସମାଧାନ ପାଇଁ ପିଣ୍ଡିକି ମାଳିଗୁଡା ଗ୍ରାମବାସୀ ଅଣ୍ଟା ଭିଡିଥିଲେ । ଏକ ବୈଠକ କରି ସମସ୍ୟା ସମ୍ପର୍କରେ ବିସ୍ତୁତ ଆଲୋଚନା କରିଥିଲେ । ଯାହାର ଫଳସୂରୁପ ନିଜ ଗାଁ ସ୍କୁଲ ବନ୍ଦ ନିଷ୍ପତ୍ତି ଗ୍ରାମବାସୀ ଟାଳି ପାରିଛନ୍ତି ।
ସ୍କୁଲଟିକୁ ବନ୍ଦ ନହେବା ପାଇଁ ସରକାର ନିର୍ଦ୍ଧାରିତ କରିଥିବା ସର୍ବନିମ୍ନ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଗଣି ଗାଁର ଆର୍ଥିକ ଭାବେ ସ୍ବଚ୍ଛଳ ଥିବା ଯେଉଁ କେତେଜଣ ପରିବାର ତାଙ୍କ ପିଲାଙ୍କୁ କୋରାପୁଟର କିଛି ବେସରକାରୀ ବିଦ୍ୟାଳୟରେ ମଟରସାଇକେଲ ଯୋଗେ ଛାଡି ଆସୁଥିଲେ, ସେମାନେ ତାଙ୍କ ପୁଅ ଝିଅଙ୍କୁ ବେସରକାରୀ ବିଦ୍ୟାଳୟରୁ ବାହାର କରି ଗାଁ ସ୍କୁଲରେ ପଢାଇବାର ନିଷ୍ପତ୍ତି ନେଇଛନ୍ତି । ଫଳରେ ବର୍ତ୍ତମାନ ଗାଁ ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଅଭିବାବକ ଜଣାଇଛନ୍ତି ।
ଗ୍ରାମବାସୀ ଗାଁର ନିଷ୍ପତ୍ତି ସମ୍ପର୍କରେ ପ୍ରଶାସନକୁ ଅବଗତ କରିବା ପରେ ସ୍କୁଲ ବନ୍ଦ କରାନଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଯାହା ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ