କୋରାପୁଟ: ନନ୍ଦପୁରର ଐତିହାସିକ ଦେବୀ ପୀଠ ଆକାରରେ ବତ୍ରିଶ ସିଂହାସନ ଜଣାଶୁଣା । ଏଠାରେ ଦେବୀ କନ୍ଧୁଣି ପୂଜା ପାଆନ୍ତି। ନନ୍ଦପୁରରେ ପ୍ରସିଦ୍ଧ ବତ୍ରିଶ ସିଂହାସନ ଆଜି ବି ସାକ୍ଷୀ ରହିଛି ଇତିହାସ। ବିଶିଷ୍ଟ ଗବେଷକ ଜଳଧର ସ୍ବାଇଁଙ୍କ କହିବାନୁଯାୟୀ ସେତେବେଳର ନନ୍ଦପୁର ରାଜା ଏକ କନ୍ଧ ଦମ୍ପତି ଓ ସମ୍ପ୍ରଦାୟ ଦ୍ଵାରା ଲାଳନ ପାଳନ ହୋଇଥିଲେ ।
ଗବେଷକ କହିବାନୁଯାୟୀ ସେତେବେଳର ନନ୍ଦପୁର ରାଜା ଏକ କନ୍ଧ ଦମ୍ପତି ଓ ସମ୍ପ୍ରଦାୟ ଦ୍ଵାରା ଲାଳନ ପାଳନ ହୋଇଥିଲେ । ଲୋକକଥା ଅନୁଯାୟୀ ରାଜ ବଂଶରେ ଜନ୍ମିତ ସମସ୍ତ ଛୁଆଙ୍କ ନାଭି ଓ ଅନ୍ତନାଡ଼ି ନାଭି କୁଣ୍ଡରେ ଦେବୀଙ୍କୁ ସମର୍ପିତ କରି ଭବିଷ୍ୟ କାମନା କରୁଥିଲେ। ଯାହା ବତ୍ରିଶ ସିଂହାସନର ଗର୍ଭଗୃହରେ ବିରାଜମାନ। ପୂର୍ବରୁ ଦଶହରାର ପବିତ୍ର ଅଷ୍ଟମୀ ତିଥିରେ ଟିକି ପଥର,ଦାରୁ କାଉଡ଼ି, ରଙ୍ଗମାଟିରେ ପୂଜାବିଧି କରିବା ସହ ବଳିପଡ଼ି ଦଶହରା ଲାଠି ପରିକ୍ରମା କରାଯାଉଥିଲା ।
କୁହାଯାଏ ଦ୍ବାଦଶ ଶତାବ୍ଦୀରେ ଶିଳାବଂଶୀ ରାଜା ଏବଂ ପଞ୍ଚଦଶ ଶତାବ୍ଦୀର ସୂର୍ଯ୍ୟବଂଶୀ ରାଜାମାନେ ନନ୍ଦପୁରରେ ରାଜତ୍ବ କରୁଥିଲେ । ସୂର୍ଯ୍ୟବଂଶୀ ଶାସନ କାଳରେ ବିନାୟକ ଦେବ ରାଜା ହେବା ପରେ ବିକ୍ରମାଦିତ୍ୟ ଦ୍ବିତୀୟଙ୍କ ଦ୍ବାରା ତାଙ୍କ ଜ୍ବାଇଁକୁ ପ୍ରଦତ୍ତ ବତ୍ରିଶ ସିଂହାସନକୁ ପୂର୍ଣ୍ଣ ନିର୍ମାଣ କରାଇଥିଲେ । ଏହା 32 ଟି ପାହାଚ ବିଶିଷ୍ଟ ଗୋଲାକାର ଶିଳାରେ ନିର୍ମିତ ହୋଇଥିଲା । ବିନାୟକ ଦେବଙ୍କ ପରଠାରୁ ରାଜ ବଂଶର ପ୍ରତ୍ୟେକ ରାଜା ଏହି ସିଂହାସନରେ ବସି ରାଜ୍ୟାଭିଷେକ ହେଉଥିଲେ । ପରେ ପରେ ରାଜା ବିକ୍ରମାଦିତ୍ୟଙ୍କ ସ୍ମୃତିରେ 32 ସିଂହାସନ ପୁନଃ ନିର୍ମିତ ହୋଇଛି ।
ସିଂହାସନର ୩୨ ପାହାଚରେ ଶକ୍ତି ସ୍ବରୂପା ଦେବୀଙ୍କୁ ସ୍ଥାପନା କରାଯାଇଛି । ସେମାନେ ହେଲେ ଭୈରବୀ, ବଞ୍ଜାରୁଣି, ଦୁର୍ଗା, କାଳୀ, ବାରଦାଉନି, କାଙ୍କାଳି, ଲହରିନି, ଚଣ୍ଡୀ, ତାଡ଼କି, ଡଙ୍ଗର ଦେଇ, ବିଯାକାଳୀ,ଚାମୁଣ୍ଡା, ତାରିଣୀ, ମାଉଳି, କନକଦେଇ, ଭଣ୍ଡାରୁନି, କୃତିକାର୍ଜି, ମଙ୍ଗଳଦେଇ, ଆମା ଦେଇ, କତାୟାନି, ବିମଳ ଦେଇ,ପାଟଖଣ୍ଡା, ମହୁରୀଚଣ୍ଡୀ, ପତ୍ରସୋରଣି, କାମାକ୍ଷା ଦେବୀ, ମାତାଲାଦେବି, ବୁଢ଼ୀଠାକୁରାଣୀ, ରଣଚଣ୍ଡୀ, ଗଡଚଣ୍ଡୀ, କାଳୀସୁନ୍ଦରୀ, କିରାଳି, ଘଣ୍ଟଘାଗୁଡ଼ି । ସମସ୍ତ ଦେବୀଙ୍କୁ ଅତିକ୍ରମ କଲେ ବତ୍ରିସ ସିଂହାସନର ଗର୍ଭଗୃହରେ ପୂଜାପାଉଛନ୍ତି ନାଭିକୁଣ୍ଡ ଓ କନ୍ଧୁଣୀ ଦେବୀ । ୧୯୫୪ ମସିହାରୁ ବତ୍ରିସ ସିଂହାସନର ଏହି ପୀଠରେ ଦେବୀଙ୍କ ନୀତି ସହ ମା ଦୁର୍ଗାଙ୍କ ମୃଣୟମୂର୍ତ୍ତି ପୂଜା କରାଯାଉଛି। ପୀଠର ନୀତି ନିୟମ ପୂଜାବିଧି ଆଜିବି ସେମିତି। ଏହାକୁ ମନ୍ଦିର ନୁହେଁ ଦେବୀଙ୍କ ପୀଠ କୁହାଯାଏ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ