କୋରାପୁଟ: ଜିଲ୍ଲାରେ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ (ଡିଏମଏଫ) ର ଦୁର୍ବିନିଯୋଗ ଅଭିଯୋଗ ଆସିବା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟର ଖଣି ବହୁଳ ଜିଲ୍ଲା ଗୁଡିକରେ ଆଞ୍ଚଳିକ ସ୍ତରରେ ବିକାଶ କରିବା ପାଇଁ ଖଣି କମ୍ପାନୀ ଗୁଡିକର ପାରିପାର୍ଶ୍ବିକ ବିକାଶ ପାଣ୍ଠି ସମୂହକୁ ନେଇ ଡିଏମଏଫ ପ୍ରତିଷ୍ଠା କରାଯାଇଥିଲା । ମାତ୍ର ୬୭ ଲକ୍ଷ ଟଙ୍କା ବ୍ୟୟରେ କିପରି ଡିଆରଡିଏ କାର୍ଯ୍ୟାଳୟର ସୌନ୍ଦର୍ଯ୍ୟକରଣ କରାଗଲା ଓ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ବଦଳରେ ଡିଆରଡିଏ କିପରି ଏହି ପାଣ୍ଠି ବିନିଯୋଗ କରିବାର ଦାୟିତ୍ବ ନେଲେ ସେନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଏହି ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଡିଆରଡିଏ କାର୍ଯ୍ୟାଳୟର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ମହେଶ ନାୟକଙ୍କ କହିବା ଅନୁଯାୟୀ ସରକାରଙ୍କ ଦ୍ବାରା ୨୦୧୭ ମସିହା ଅକ୍ଟୋବର ମାସରେ ଏକ ଗେଜେଟ ନୋଟିଫିକେସନ ମାଧ୍ୟମରେ ଡିଏମଏଫର ପରିଚାଳନା ଦାୟିତ୍ବ ଜିଲ୍ଲା ଯୋଜନା ବିଭାଗରୁ ଡିଆରଡିଏକୁ ହସ୍ତାନ୍ତର କରାଯାଇଥିଲା । ଯାହାଫଳରେ ସେହିଦିନ ଠାରୁ କୋରାପୁଟରେ ଥିବା ଡିଆରଡିଏ କାର୍ଯ୍ୟାଳୟଟିକୁ ଡିଏମଏଫ ର ନୋଡାଲ ଏଜେନ୍ସି ଭାବେ ଗ୍ରହଣ କରାଗଲା ।
ଏହି ପାଣ୍ଠିର ବିନିଯୋଗ ପାଇଁ ଗେଜେଟ ନୋଟିଫିକେସନରେ ସରକାର ଜାରି କରିଥିବା ନୀତି ଅନୁଯାୟୀ ଡିଏମଏଫ ପରିଚାଳନା କମିଟି ଆବଶ୍ୟକ ଅନୁଭବ କଲେ ଏହି ପାଣ୍ଠିର 40 ପ୍ରତିଶତ ଭାଗ ପର୍ଯ୍ୟନ୍ତ ଏହି ପାଣ୍ଠି ବିନିଯୋଗ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନର ଉନ୍ନତିକରଣ ଓ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବାରେ ଖର୍ଚ୍ଚ କରିପାରିବେ । ଏହି ବ୍ୟବସ୍ଥା ଅନୁଯାୟୀ ଡିଏମଏଫ ପରିଚାଳନା କମିଟି , ତତ୍କାଳୀନ ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ସହମତିରେ ଅନ୍ୟାନ୍ୟ ଖଣି ବହୁଳ ଜିଲ୍ଲା ଭଳି ଏଠାରେ ମଧ୍ୟ ଡିଏମଏଫ ର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବା ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡିଆରଡିଏ ଭବନର ବହୁଦିନର ଭବନଟିକୁ ମରାମତି କରି ସେହିଠାରେ ହିଁ ଏହି କାର୍ଯ୍ୟାଳୟକୁ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଠିକାଦାର ଏ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିନଥିବା ଯୋଗୁଁ ଟଙ୍କାଟିଏ ବି ଏହି କାର୍ଯ୍ୟ ବାବଦରେ ଦିଆଯାଇନଥିବା ଜଣାଯାଇଛି । ଡିଏମଏଫ କମିଟି ଏହି କାର୍ଯ୍ୟର ତଦାରଖ କରିବା ପରେ କାର୍ଯ୍ୟରେ ସନ୍ତୁଷ୍ଟ ହେଲେ ହିଁ ଠିକାଦାରଙ୍କୁ ଅର୍ଥ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି । ତେବେ ଡିଏମଏଫ ଭଳି ଜନହିତକର କାର୍ଯ୍ୟରେ ଲାଗିବାକୁ ଥିବା ପାଣ୍ଠିକୁ ସମ୍ପୂର୍ଣ୍ଣ ରୂପେ ସାଧାରଣ ଲୋକଙ୍କ ପାଖରେ ବିନିଯୋଗ କରିବା ନେଇ ସରକାରୀ ନିର୍ଦ୍ଦେଶନାମା ଜାରି କରିବା ପାଇଁ ବରିଷ୍ଠ ଆଇନଜୀବୀ ଅଜିତ ପାତ୍ର ଦାବି କରିଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ