କୋରାପୁଟ: କୋରାପୁଟ କଫି ...ଏହାର ମହକ କେବଳ ରାଜ୍ୟରେ ନୁହଁ ବରଂ ଜାତୀୟ ସ୍ତରରେ ମଧ୍ୟ ପହଞ୍ଚିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । 54 ଏକର ଜମିରେ କଫି ଉତ୍ପାଦନ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନେକ ମହିଳାଙ୍କୁ ସ୍ବାବଲମ୍ବୀ କରାଇଛନ୍ତି ଜିଲ୍ଲାର ରାଜେଶ୍ୱରୀ ରେଡ୍ଡୀ ଓ ତାଙ୍କ ମାଆ ନିର୍ମଳା। କେଲାର ଗ୍ରାମରେ ଥିବା ତାଙ୍କ ବଗିତାରେ ବର୍ଷକୁ ପ୍ରାୟ 12 ରୁ 15 ଟନ କଫି ଉତ୍ପାଦନ ହେଉଛି। ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଉନ୍ନତ ମାନର କଫି ବିନ ଯୋଗାଣ କାରୀ ବଗିଚା ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ବର୍ତ୍ତମାନ ରାଜେଶ୍ୱରୀ ଓ ତାଙ୍କ ମା ନିର୍ମଳା ଦେବୀ ନିଜ ବଗିଚାର କଫି ଫଳକୁ ପାଉଡର କରି ବଜାରକୁ ପଠାଇବାର ନିଷ୍ପତ୍ତି ନେଇଛନ୍ତି ।
ବିଭିନ୍ନ ଉପାୟରେ ବ୍ଲେଣ୍ଡିଙ୍ଗ କରି ଭଳିକି ଭଳି ସ୍ୱତନ୍ତ୍ର ସ୍ୱାଦ ଯୋଗାଉଥିବା ଏହି କଫି ଗୁଣ୍ଡର ନାମକରଣ କରିବା ସମୟରେ ସେମାନେ କେଲାର ମୌଜାର ମହିଳାଙ୍କ ପ୍ରତି କୃତଜ୍ଞତା ଜଣାଇ ଏହି କଫି ଗୁଣ୍ଡର ନାଁ 'କେଲାର କଫି' ବୋଲି ନାମିତ କରିଛନ୍ତି । ବର୍ତ୍ତମାନ କଫି ମାଧ୍ୟମରେ କେଲାର ଭଳି ଏକ ଅଖ୍ୟାତ ପଲ୍ଲୀ ବିଶ୍ବ ଦରବାରରେ ଖ୍ୟାତି ଅର୍ଜନ କରିବ ବୋଲି ଜାଣିବା ପରେ ଏହି କଫି ବଗିଚାରେ କାର୍ଯ୍ୟ କରିଥିବା ମହିଳା ମାନେ ରାଜେଶ୍ୱରୀ ଓ ନିର୍ମଳା ଦେବୀଙ୍କ ଏହି ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଛନ୍ତି ।
1998 ମସିହାରେ ରାଜେଶ୍ୱରୀ ରେଡ୍ଡୀଙ୍କ ବାପା ଓୟୁଏଟିରୁ ଅବସର ନେଇ କଫି ଚାଷ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ପରେ ରାଜେଶ୍ୱରୀ ଓ ତାଙ୍କ ମା ନିର୍ମଳା ଦେବୀ ଏହି ବଗିଚାର ଦାୟିତ୍ବ ନେଇଥିଲେ। ସବୁକିଛି ଠିକ ଚାଲିଥିବା ବେଳେ ହଠାତ 2014ରେ ପ୍ରଳୟଙ୍କରୀ ବାତ୍ୟା ହୁଡ଼ହୁଡର ପ୍ରଭାବରେ ସମ୍ପୂର୍ଣ୍ଣ ରୂପେ ଉଜୁଡି ଯାଇଥିଲା କଫି ବଗିଚା । 6000 ସିଲଭର ଓକ ଗଛ ସାଙ୍ଗକୁ ସେଥିରେ ମାଡିଥିବା ଗୋଲମରିଚ ଲତା ନଷ୍ଟ ହେବା ସହ କଫି ଗଛ ମଧ୍ୟ ଉପୁଡି ପଡିଥିଲା।
ଏହି ସମୟରେ ସମସ୍ତେ ତାଙ୍କୁ କଫି ବଗିଚାକୁ ବିକ୍ରି କରି ଅନ୍ୟତ୍ର ଚାଲିଯିବା ପାଇଁ କହିଥିଲେ। କିନ୍ତୁ ରାଜେଶ୍ୱରୀ ମନୋବଳ ଭାଙ୍ଗିନଥିଲେ। ପୁଣି ଥରେ କଫି ବଗିଚାର ଅଣ୍ଟା ସଳଖି ଠିଆ କରିବାକୁ ଚେଷ୍ଟା କଲେ। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଦୁହେଁ ଉଜୁଡି ଯାଇଥିବା କଫି ବଗିଚାରେ ନୂତନ ପ୍ରାଣ ସଞ୍ଚରିତ କରିବା ପାଇଁ ଦିନରାତି ଏକ କରିଦେଇଥିଲେ । ହୁଡ଼ହୁଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ ଲାଘବ କରିବା ପାଇଁ ଘରେ ଜଣେବି ପୁରୁଷ ନଥିବା ଅବସ୍ଥାରେ ଏହି ଦୁଇ ମହିଳାଙ୍କ ଦୃଢ ମନୋବଳହିଁ ତାଙ୍କୁ ସହାୟ ହୋଇଥିଲା । ନିଜ ପ୍ରୟାସରେ କର୍ଣ୍ଣାଟକର ବ୍ୟବସାୟଙ୍କ ସହ ସମ୍ପର୍କ ସ୍ଥାପନ କରି ବଗିଚାରେ ପଡିରହିଥିବା 6000 ଟି ସିଲଭର ଓକ ଗଛକୁ ବିକ୍ରି କରିବାରେ ସଫଳ ହୋଇଥିଲେ । ସେହି ବିକ୍ରିରୁ ମିଳିଥିବା ଅର୍ଥ କୁ ସମ୍ବଳ କରି ପୁଣିଥରେ ବଗିଚାରେ 4000 ସିଲଭର ଓକ ଗଛ ଲଗାଇବା ସହ ଗୋଲମରିଚ ଚାଷର ପୁନରୁଦ୍ଧାର କରିବାରେ ସେମାନେ ସକ୍ଷମ ହୋଇପାରିଥିଲେ ।
ସେମାନଙ୍କ ଏହି ପ୍ରୟାସରେ ସ୍ଥାନୀୟ ମହିଳାଙ୍କ ସହଯୋଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଥିଲା । ମହିଳା ବହୁଳ ଏହି କଫି ବଗିଚାରେ କାମ କରୁଥିବା ଆଦିବାସୀ ମହିଳା ମଧ୍ୟ ଏହାକୁ ନିଜ ଉଦ୍ୟୋଗ ଭାବେ ଦେଖିବାକୁ ଆରମ୍ଭ କରି ମାଆ ଝିଅ ଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । କାମ କରୁଥିବା ମଜୁରିଆ ଭାବେ ନୁହେଁ ବରଂ ପରିବାରର ଏକ ସଦସ୍ୟ ଭାବେ ରାଜେଶ୍ୱରୀ ଓ ନିର୍ମଳା ଦେବୀ ସେମାନଙ୍କୁ ବ୍ୟବହାର କରୁଥିବା ଯୋଗୁଁ ସେମାନେ ମଧ୍ୟ ଉତ୍ସାହର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।
ପୁଣିଥରେ ଏହି କିଛି ବର୍ଷ ମଧ୍ୟରେ 12 ରୁ 15 ଟନ କଫି ଓ 3 ଟନ ଗୋଲମରିଚ ଉତ୍ପାଦନ କରିବାରେ ଏହି ବଗିଚା ସକ୍ଷମ ହୋଇପାରିଛି । ବର୍ତ୍ତମାନ ନିଜସ୍ୱ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରି କଫି ଫଳକୁ ଆଧୁନିକ ଯନ୍ତ୍ରପାତି ଯୋଗେ ରୋଷ୍ଟିଂ କରିବା ପରେ କଫି ପାଉଡର ପ୍ରସ୍ତୁତ କରିବା ପାଇଁ ସକ୍ଷମ ହେବା ନାରୀ ସଶକ୍ତିକରଣର ଏକ ଜ୍ୱଳନ୍ତ ଉଦାହରଣ। ଏହି ଜିଲ୍ଲା କଫି ଚାଷରେ ମହିଳାଙ୍କ ଯୋଗଦାନକୁ ନେଇ ପ୍ରୋତ୍ସାହନ ଯୋଗାଇବ ବୋଲି ଓଡିଶା ଜୀବିକା ମିଶନର ଜିଲ୍ଲାଧିକାରୀ ସୁଶ୍ମିତା ସାମନ୍ତରାୟ ମତ ରଖିଛନ୍ତି ।
ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଏହି ବଗିଚାର କଫି କ୍ଷାତି ଅର୍ଜନ କରିଥିବା ବେଳେ କଫି ଫଳକୁ ପାଉଡର କରି ବଜାରକୁ ପଠାଇବାର ନିଷ୍ପତ୍ତି ନେଇଛନ୍ତି ରାଜେଶ୍ୱରୀ । ବିଭିନ୍ନ ଉପାୟରେ ବ୍ଲେଣ୍ଡିଙ୍ଗ କରି ଭଳିକି ଭଳି ସ୍ୱତନ୍ତ୍ର ସ୍ୱାଦ ଯୋଗାଉଥିବା ଏହି କଫି ଗୁଣ୍ଡର ନାମକରଣ କରିବା ସମୟରେ ସେମାନେ କେଲାର ମୌଜାର ମହିଳା ଙ୍କ ପ୍ରତି କୃତଜ୍ଞତା ଜଣାଇ ଏହି କଫି ଗୁଣ୍ଡର ନାଁ 'କେଲାର କଫି' ବୋଲି ନାମିତ କରିଛନ୍ତି । ଖୁବଶୀଘ୍ର ଏହା ବଜାରକୁ ଆସିବାକୁ ଯାଉଛି।
ଇଟିଭି ଭାରତ, କୋରାପୁଟ