କୋରାପୁଟ: ଜିଲ୍ଲାର ଲମତାପୁଟ ବ୍ଲକ୍ରେ ସରକାରୀ କାର୍ଯ୍ୟ ପାଇଁ ଲୋକମାନଙ୍କଠାରୁ ଲାଞ୍ଚ ଆଦାୟ କରାଯାଉଛି । ଏହାକୁ ସ୍ଥାନୀୟ ଲୋକ ବିରୋଧ କରି ରବିବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ବିଡିଓଙ୍କ ସମେତ ବ୍ଲକର ଜେଇ ଓ ଜିପିଇଓଙ୍କ ବଦଳି ପାଇଁ ଦାବି କରିଛନ୍ତି ।
ଲମତାପୁଟ ଅଞ୍ଚଳରେ ସରକାରୀ ଅଧିକାରୀମାନେ ଲୋକମାନଙ୍କଠାରୁ ସରକାରୀ କାର୍ଯ୍ୟ କରିବା ପାଇଁ ଲାଞ୍ଚ ନେଉଛନ୍ତି । ଲାଞ୍ଚ ନ ଦେଲେ ଅଧିକାରୀମାନଙ୍କ ଟେବୁଲ ଉପରୁ ଫାଇଲ ଘୁଞ୍ଚୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବିଲ ପାସ କରିବାକୁ ହେଲେ 28 ପ୍ରତିଶତରୁ 30% ପିସି ଦେବାକୁ ହେଉଥିବା ଅଭିଯୋଗ କରି ଲମତାପୁଟର ଶତାଧିକ ବ୍ୟକ୍ତି କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ବିଡ଼ିଓଙ୍କ ସମେତ ବ୍ଲକର ଜେଇ ଓ ଜିପିଇଓଙ୍କୁ ନିଲମ୍ବିତ କିମ୍ବା ବଦଳି କରିବା ପାଇଁ ଦାବି କରିଛନ୍ତି ।
ବ୍ଲକ କର୍ମଚାରୀଙ୍କ ଏପରି ଲାଞ୍ଚ କାରବାର ଯୋଗୁଁ ଠିକାଦାରମାନେ ବ୍ଲକରେ କିଛି କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଓ ଏହା ବ୍ଲକର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏଥିସହିତ ପାନୀୟ ଜଳର ସୁବିଧା, ସିନ୍ଧିପୁଟଠାରେ ପୋଲ ନିର୍ମାଣ, ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରିବା, ମହାବିଦ୍ୟାଳୟ ସ୍ଥାପନା ଭଳି 12ଟି ବିକାଶମୂଳକ ଦାବି ମଧ୍ୟ ସେମାନେ ଉପସ୍ଥାପନ କରିଛନ୍ତି ।
କୋରାପୁଟରୁ ସି. ଏଚ୍ ଶାନ୍ତାକାର, ଇଟିଭି ଭାରତ