କୋରାପୁଟ: କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବେ ଦୃଷ୍ଟି ବାଧିତ ଶିଶୁ । କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟର ପିଲାଙ୍କ ପାଇଁ ଏମିତି ନୂତନ ସୁଯୋଗ ସୃଷ୍ଟି କରିଛି ନିଖିଲ କମ୍ପ୍ୟୁଟର ଏକାଡେମୀ । ବାହାର ଦୁନିଆକୁ ନିଜ ବାହ୍ୟ ଚକ୍ଷୁ ମାଧ୍ୟମରେ ଦେଖି ଜାଣି ପାରିନଥିଲେ ବି ସମଗ୍ର ସଂସାରର ତଥ୍ୟକୁ ଏବେ ଜାଣିବେ ଏହି ଦୃଷ୍ଟି ବାଧିତ ଶିଶୁ । କୋଟସ ଆଦିବାସୀ ଗବେଷଣାତ୍ମକ ଅନୁଷ୍ଠାନ ମଧ୍ୟରେ ଦୃଷ୍ଟିବାଧିତ ଶିଶୁଙ୍କ ପାଇଁ ଖୋଲାଯାଇଛି କମ୍ପ୍ୟୁଟର ଶିଖିବାର ସୁଯୋଗ ।
କିଛିଦିନ ପୂର୍ବେ ଜିଲ୍ଲାପାଳ ଅବଦଲ ଅକ୍ତର କୋଟସ ପରିଦର୍ଶନରେ ଆସିଥିବାବେଳେ, ସେହି କ୍ୟାମ୍ପସରେ କୋଟସ ଓ ନିଖିଲ କମ୍ପ୍ୟୁଟର ଏକାଡେମୀର ମିଳିତ ପ୍ରୟାସରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ଏକ କମ୍ପ୍ୟୁଟର ସେଣ୍ଟର୍ ମଧ୍ୟକୁ ସେ ପ୍ରବେଶ କରିଥିଲେ । ଏହି ଅନୁଷ୍ଠାନରେ ଥିବା କମ୍ପ୍ୟୁଟର ସମୂହ ଓ ଆନୁଷଙ୍ଗିକ ବ୍ୟବସ୍ଥା କୁ ଦେଖି ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟର ପିଲାଙ୍କୁ ମଧ୍ୟ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବା ନେଇ ପ୍ରସ୍ତାବ ଦେଇଥିଲେ ବୋଲି ଏହି କମ୍ପ୍ୟୁଟର ଅନୁଷ୍ଠାନର ନିର୍ଦ୍ଦେଶକ ସନ୍ତୋଷ କୁମାର ପଣ୍ଡା ଜଣାଇଛନ୍ତି ।
ଜିଲ୍ଲାପାଳଙ୍କ ଗସ୍ତ ପରେ ଦୃଷ୍ଟିହୀନଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ସଫ୍ଟୱାର ଆଣି ବର୍ତ୍ତମାନ ଦୃଷ୍ଟିବାଧିତ ଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବା ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ । ଅପରପକ୍ଷରେ ଛାତ୍ର ଓ ଶିକ୍ଷକ ଏହି କମ୍ପ୍ୟୁଟର ଶିକ୍ଷା ସେମାନଙ୍କ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଯୋଗୀ ହେବା ସହିତ ଚାକିରି ପାଇବାରେ ସୁବିଧା ହେବ ବୋଲି ଆଶା ପୋଷଣ କରିଛନ୍ତି ।
କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ