କୋରାପୁଟ: ଗୁଣିଆ ସନ୍ଦେହରେ ହତ୍ୟା ଘଟଣାରେ ନୂଆ ମୋଡ । ବନ୍ଧୁଗାଁ ଥାନା ଜାଗଗୁଡା ପଞ୍ଚାୟତ ସଦର ଠାରେ ଗୁଣିଆ ସନ୍ଦେହରେ ହତ୍ୟା ଘଟଣାରେ ଗତକାଲି ଜଣକୁ ଅଟକ ରଖିବା ଓ କୋରାପୁଟର ଫରେନସିକ ଟିମ ଘଟଣାସ୍ଥଳକୁ ଯିବା ପରେ ଏଥିରେ ନୂଆ ମୋଡ ଆସିଛି ।
କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରୀପୁଟ ନିକଟ ଜାଗୁଗୁଡା ଗ୍ରାମରେ ସାଲା ହାରେକା ନାମକ ଜଣେ 45 ବର୍ଷୀୟ ବ୍ୟକ୍ତିକୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଛି । ଉକ୍ତ ଗ୍ରାମର ଶନି ହାରେକା ହତ୍ୟା କରିଥିବା ନେଇ ମୃତ ସାଲା ହାରେକାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଏହା ପରେ ବନ୍ଧୁଗାଁ ପୋଲିସ ଶନି ହାରେକାକୁ ଅଟକ ରଖି ପଚରାଉଚୁରା କରିଥିଲା । ତେବେ କୋରାପୁଟରୁ ଆସିଥିବା ସାଇଣ୍ଟିଫିକ ଦଳ ସହ ଏସଡିପିଓ ଅଶ୍ବିନୀ କୁମାର ନାଏକ ,ବନ୍ଧୁଗାଁ ଥାନା ଅଧିକାରୀ ତପନ କୁମାର ନାହକ ଓ ନାରାୟଣପାଟଣା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହା ପରେ ମୃତଦେହ ପଡିଥିବା ସ୍ଥାନରୁ ମାଟି ଓ ରକ୍ତ ନମୁନା ସଂଗ୍ରହ କରିବା ପରେ ମୃତଦେହ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।
ଶେଷରେ ଘଟଣାର ତଦନ୍ତ କରିବା ପରେ ଏହା ଏକ ଜମିଜମା ବିବାଦକୁ ନେଇ ହୋଇଥିବା ହତ୍ୟାକାଣ୍ଡ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ମୃତକଙ୍କ ୪ଜଣ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିବା ସହିତ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ତପନ କୁମାର ନାହାକ କହିଛନ୍ତି ।
କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ