କୋରାପୁଟ: ଆଜି(ଶନିବାର) ପୁଣିଥରେ କୋଟିଆରେ ମୁହାଁମୁହିଁ ହୋଇଛି ଓଡ଼ିଶା-ଆନ୍ଧ୍ର । ଆନ୍ଧ୍ରପ୍ରଦେଶର ତୋନମ ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବାସ୍ଥ୍ୟକର୍ମୀ ଉପର ସେମ୍ବୀରେ ସାପ୍ତାହିକ ଟୀକାକରଣ ଶିବିରରେ ଟିକା ଦେବା ପାଇଁ ଆସିଥିଲେ । ତେବେ ଓଡ଼ିଶାର ପୋଲିସ ଓ ପ୍ରଶାସନିକ ଅଧିକାରୀ ସେମାନଙ୍କୁ ଅଟକାଇବା ପରେ ଫେରିଯିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।
ଗତକାଲି ତଳ ଗଞ୍ଜେଇପଦରରେ ଓଡିଶା ସରକାରଙ୍କ ତରଫରୁ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ଟିମ ନେରେଡିବାଲାସା ଓ ଧୂଳିପଦରରେ ସ୍ବାସ୍ଥ୍ୟ ଶିବିର ଓ ଜନ ସମ୍ପର୍କ ଶିବିର ଆୟୋଜନ କରିଥିଲେ । ଗତ କିଛିଦିନ ଧରି କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଆସି ସ୍ବାସ୍ଥ୍ୟ ଶିବିର ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ କରି କୋଟିଆ ଅଧିବାସୀଙ୍କୁ ଆନ୍ଧ୍ର ଆଡକୁ ଆକର୍ଷିତ କରିବା ପାଇଁ ପ୍ରଚେଷ୍ଟା କରିଚାଲିଛନ୍ତି ।
ତେବେ ଓଡି଼ଶା ମାଟିରେ ଆନ୍ଧ୍ରର ଏପରି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଯେଉଁ ଅସାମାଜିକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି ସେମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଶୁକ୍ରବାର ଠାରୁ କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ପଞ୍ଚାୟତରେ ପୋଲିସ ମୁତୟନ କରାଯିବା ସହ ଆନ୍ଧ୍ର ପଟରୁ କୋଟିଆ ପଞ୍ଚାୟତ ଅଞ୍ଚଳ ମଧ୍ୟକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯାଇଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ